Unknown

 

 

 

 

 

 

 

 

 

 

 

ଛାୟା

ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

 

ଭୂମିକା

 

ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଜଣେ କୃତୀ ଶିକ୍ଷକ । ବାଳ–ମନୋବିଜ୍ଞାନ ଗବେଷଣାରେ ତାଙ୍କର ପ୍ରବେଶ ଅଛି । ତା’ର ପ୍ରତୀକ ତାଙ୍କ ଲେଖନୀ ପ୍ରସୂତ ‘‘ଛାୟା’’ ।

 

ପଶ୍ଚିମ ଲଣ୍ଡନ ଉପକଣ୍ଠରେ ଯେଉଁ ବାଳକ ବାଳିକା ଦେଖାଯାନ୍ତି ସେମାନଙ୍କ ମଧ୍ୟରୁ ଅନେକ ‘‘ଟେଡ଼୍ଡ଼ୀ’’ । ଯେଉଁ ବାଳକ ବାଳିକା ଅପରାଧୀ, ନଷ୍ଟଚରିତ୍ର, ଦୁର୍ବୃତ୍ତ, ବିଶୃଙ୍ଖଳ ସେମାନେ ହେଉଛନ୍ତି ଲଣ୍ଡନ ନଗରୀର ପଶ୍ଚିମ ଉପକୂଳର ‘‘ଟେଡ଼୍ଡ଼ୀ’’ ଶ୍ରେଣୀଭୁକ୍ତ ।

 

ମଦ୍ୟପ, ଦୁଶ୍ଚରିତ୍ର, ଲଘୁହସ୍ତ ପୁରୁଷମାନଙ୍କ ଔରସରେ ମଦ୍ୟପା, ଅସଚ୍ଚରିତ୍ରା; ଲଘୁହସ୍ତା ସ୍ତ୍ରୀମାନଙ୍କ ଗର୍ଭରୁ ଯେଉଁ ବାଳକ ବାଳିକାଙ୍କ ଜନ୍ମ ସେମାନେ ହୁଅନ୍ତି ‘‘ଟେଡ଼୍ଡ଼ୀ’’ । ଏହି ଟେଡ଼୍ଡ଼ୀ ମାନଙ୍କର ବାପ ଠିକଣା ନଥାଏ । ଏମାନଙ୍କ ପକ୍ଷରେ ‘‘ମା ଜାଣେ ବାପ, ଖଣ୍ଡା ଜାଣେ ଖାପ’’ ବୋଲି ପ୍ରଯୁଜ୍ୟ ।

 

ଅଭାବ; ଅନାଟନ, ଅନଶନ ମାନବ ଶିଶୁକୁ କରେ ଶ୍ୱାନ–ଶାବକ । ନିଶାଗ୍ରସ୍ତ ପୁରୁଷ ଔରସଜାତ କିମ୍ବା ବେଶ୍ୟାଗର୍ଭସମ୍ଭୂତ ସନ୍ତାନସନ୍ତତି ପଥଭ୍ରାନ୍ତ ଅସାମାଜିକ ଜୀବ ବୋଲାଇବା ବିଚିତ୍ର ନୁହେଁ । କାରଣ, ଯଥା ବୀର୍ଯ୍ୟା ତଥାଙ୍କୁରା ।

 

କିନ୍ତୁ ଜଣେ ବିଚାରପତିଙ୍କ ଉଚ୍ଚଶିକ୍ଷିତା’ କନ୍ୟାଙ୍କ କନ୍ୟା କିପରି ଅବାଲ୍ୟରୁ ଅପରାଧିନୀ ହୋଇପାରେ ତାହାହିଁ ଅତୀବ ବିଚିତ୍ର । ବାତ୍ସାୟନ, ହାବଲକ ଏଲ୍ଲିସ, ମିସ୍ ଷ୍ଟୋପେ ଏକସ୍ୱରରେ କହନ୍ତି ଶୁଭଲଗ୍ନରେ, ଶୁଭ ମୁହୂର୍ତ୍ତରେ ଶାନ୍ତଶିଷ୍ଟଭାବେ ଯେଉଁ ସ୍ଥିତପ୍ରଜ୍ଞ ନାରୀପୁରୁଷ ସହବାସ କରନ୍ତି ସେମାନଙ୍କର ଶୁଭ୍ର, ସୁନ୍ଦର ସଂଯତ ସନ୍ତାନସନ୍ତତି ଜନ୍ମଲାଭ କରନ୍ତି ।

 

ସନ୍ତାନସନ୍ତତିର ଉପନାମ ତାନୁଜ ତନୁଜା, ଆତ୍ମଜ ଆତ୍ମଜା । ତନୁ ମନ ଆତ୍ମା ଯେଉଁ ପିତାମାତା’ର ଶୁଭ, ଶୁଭ୍ର, ସୁନ୍ଦର, ସତେଜ, ଶାନ୍ତଶିଷ୍ଟ, ସଂଯତ ସେହି ପିତାମାତା’ର ସନ୍ତାନସନ୍ତତି ହୁଅନ୍ତି ରୂପପୁଣ ଗୌରବରେ ତେଜସ୍ଵୀ I ଯେଉଁ ଜନକ ଜନନୀ ଯେତେ ଉଦାରମନା, ଯେତେ ଉନ୍ନତ–ଚରିତ୍ର, ଯେତେ ଆଦର୍ଶସ୍ଥାନୀୟ ସେମାନଙ୍କର ସନ୍ତାନସନ୍ତତି ସେତେ ଉନ୍ନତ, ଉଦାର ହୁଅନ୍ତି ।

 

ସମୁଳ କୁଳୀଳ ବଂଶଜା ନାରୀ ଯଦି ନୀଚ ନିରନ୍ନ ନିକୃଷ୍ଟ ପୁରୁଷ ସହବାସରେ ସନ୍ତାନ ଉତ୍ପାଦନ କରେ ତା’ର ସନ୍ତାନ ହୁଏ ଅଜ୍ଞାତ କୁଳଶୀଳର ସନ୍ତାନ I ଜନନୀର କୌଳିନ୍ୟ ସନ୍ତାନ ଉପରେ ଯେତକ ପ୍ରଭାବ ପକାଏ ସେତିକି, କିନ୍ତୁ ଅଜ୍ଞାତପିତା’ ତା’ର ବୀର୍ଯ୍ୟପ୍ରଧାନ ସନ୍ତାନ ଉପରେ ଯେଉଁ ପ୍ରଭାବ ପକାଇଥାଏ ତାହା ରହିଯାଏ କାଳକାଳ I କ୍ଵଚିତ ବେଶ୍ୟାପୁତ୍ର ବଶିଷ୍ଠ ହୁଅନ୍ତି । କ୍ୱଚିତ୍ ସୂତପୁତ୍ର କର୍ଣ୍ଣ ହୁଅନ୍ତି । କ୍ଵଚିତ୍‍ ଅପଣ୍ଡୁପୁତ୍ର ଜ୍ୟେଷ୍ଠ ପାଣ୍ଡବ ଧର୍ମରାଜ ଯୁଧିଷ୍ଠିର ହୁଅନ୍ତି I

 

ପଦ୍ମଜା କନ୍ୟା ଉଷା କିପରି ଆବାଲ୍ୟରୁ ଅପରାଧିନୀ ହେଲା ତାହା ମନୋବିଜ୍ଞାନ ତଥା ଶୋଣିତ ବିଜ୍ଞାନର ଅନୁଧ୍ୟାନର ବିଷୟ I ମହାନ୍ତିଙ୍କ ଅପରାଧଜଡ଼ିତ ଶୋଣିତହିଁ ଉଷାକୁ କରିଛି ଆବାଲ୍ୟ ଅପରାଧିନୀ I ମହାନ୍ତି ଅନୁତାପରେ ପଦ୍ମଜା କୋଳରେ ଢଳିପଡ଼ିଲେ I ପଦ୍ମଜାଙ୍କ ନୟନଯୁଗଳ ମହାଦୀପରେ ଝଲସି ଉଠିଲା I

 

ଲେଖକ ଆଧୁନିକ ସମାଜ ଉପରେ ‘ଛାୟା’ର ଛାୟାପାତ କରି ଭାବୀ ନାଗରିକମାନଙ୍କୁ ସୁଧାରିବାର ପ୍ରୟାସ କରିଛନ୍ତି I ତାଙ୍କ ଲେଖନୀରୁ ସମାଜ ସଂସ୍କାର ଲେଖାଏ ସମାଜ ଆହୁରି ବହୁତ ଆଶାକରେ ।

 

ପ୍ରକାଶକ

☆☆☆

 

ଛାୟା

 

ଶ୍ରୀ ମନ୍ଦିର ଉପରେ ମହାଦୀପ ଉଠିଲା ।

 

ମେଘାଚ୍ଛନ୍ନ କଜ୍ଜଳ କଳା ଆକାଶ ଉପରୁ ବର୍ଷା ଟପ୍‍ଟପ୍‍ ପଡ଼ୁଛି । ଅନ୍ଧକାର ରାତ୍ରି । ବାମନ ଏକାଦଶୀ ।

 

ବଙ୍କିମ ବାବୁଙ୍କର ଦୁଇମହଲା ହଳଦିଆ କୋଠାର ଗୋଟିଏ କୋଠରୀ ଭିତରେ ଇଜି ଚେୟାରରେ ଶୋଇ ରହି ପଦ୍ମଜା ଭାବୁଛନ୍ତି–ଝିଅ ଉଷା ସମ୍ବନ୍ଧରେ । ଅବସରପ୍ରାପ୍ତ ପ୍ରଧାନ ବିଚାରପତି ବଙ୍କିମ ବାବୁଙ୍କ କନ୍ୟା–ପଦ୍ମଜା, ଏମ୍. ଏ ।

 

କହିବାକୁ ଗଲେ, ପଦ୍ମଜା କଟକରେ ଥିବା ଉଷା ସହିତ ମନ ରାଜ୍ୟରେ କଥାବାର୍ତ୍ତା କରୁଛନ୍ତି । ଉଷା ସରକାରୀ ବାଳିକା ବିଦ୍ୟାଳୟରେ ପଢ଼େ । ବୟସ ୯ ବର୍ଷ । ହଷ୍ଟେଲ୍‍ରେ ରହେ ।

 

ସ୍କୁଲ ସମୟ ହୋଇଗଲା ପରା ! ଉଷା ବାକ୍ସ ଭିତରୁ ପରିଷ୍କାର ପୋଷାକ ବାହାର କରି ପିନ୍ଧିପକାଇଲା । ପାଦ ଦୁଇଟିକୁ ପୋଛାପୋଛି କରି ଛୋଟ ମୋଜା ଉପରେ ଲାଲ୍ ଯୋତା’ ପିନ୍ଧିଲା-। ଆଇନା ଆଗରେ ଠିଆହୋଇ ମୁଣ୍ଡବାଳଗୁଡ଼ିକ ସଜାଡ଼ିନେଲା । ରୁମାଲ୍ରେ ମୁହଁଟା ପୋଛି ସାରି ବହିପତ୍ର ଧରି ଦ୍ୱାରମୁହଁରେ ଠିଆ ହେଲା । କାଳେ କିଛି ବିଶୃଙ୍ଖଳା ଥିବ ଭାବି କୋଠରୀ ଭିତରକୁ ଚାହିଁଲା । ହଁ, ଟେବୁଲ ଉପରେ ଛୋଟ କାଗଜଟିଏ ପଡ଼ିଛି । ଉଷା ସେଇଟା ଗୋଟାଇ ନେଇ ବାହାରେ ଫିଙ୍ଗି ଦେଇ ଦ୍ୱାର ବନ୍ଦକରି ଫୁର୍ତ୍ତିରେ ସ୍କୁଲକୁ ଚାଲିଗଲା ।

 

ପଦ୍ମଜାଙ୍କ ଓଠରେ କ୍ଷୀଣ ହସଟିଏ ଖେଳିଗଲା । ମନକୁ ମନ ଯେପରି କହିହେଲେ; ଉଷାଟା ମୋର ସବୁଦିନ ସେହିପରି, ପରିଷ୍କାର, ପରିଚ୍ଛନ୍ନ ।

ଘନକୃଷ୍ଣ ରାତ୍ରୀମଧ୍ୟରୁ ମହାଦୀପ ଦେଖି, ସେ ଦୀର୍ଘନିଃଶ୍ୱାସ ପକାଇ ପ୍ରକୃତିସ୍ଥା ହେଲେ-। ଇଜିଚେୟାର୍‍ର କାଠହାତ ଉପରେ ପଡ଼ିଥିଲା’’ ଆଇ.ଜି.ଏସ୍ ଛାପଦିଆ ଧଳା ଲମ୍ବା ଲଫାପା-। ତା’ ଭିତରେ ଥିବା ବାଳିକା ବିଦ୍ୟାଳୟର ସରକାରୀ ଚିଠି । ସେଇ ଚିଠି ଆଜି ପଦ୍ମଜାଙ୍କ ଶାନ୍ତିଭଙ୍ଗ କରିଛି ।

ପ୍ରଧାନ ଶିକ୍ଷୟିତ୍ରୀ ଲୋଖିଛନ୍ତି :–ମାଡ଼ମ୍, ଗତକାଲି (ତା’ ୫ ୯–୫୮) ମୋ ବିଦ୍ୟାଳୟରେ ଗୋଟିଏ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ତା’ ୨୬।୫।୫୮ ଅପରାହ୍ନର ପୁରସ୍କାର ବିତରଣୀ ସଭାକୁ ଆପଣ ଆସିଥିଲେ ନିଶ୍ଚୟ । ଆଉ ଦେଖିଥିଲେ ଯେ ଉଷା ଶ୍ରେଣୀର ବନମାଳା ସବୁଠାରୁ ଅଧିକ ନମ୍ବର ରଖିଥିବା ଲାଗି ସ୍କୁଲପକ୍ଷରୁ ସମ୍ମାନସୂଚକ ନୀଳ ରେଶମୀ ରୁମାଲ୍ ପୁରସ୍କାର ପାଇଥିଲା । ସେହି ରେଶମୀ ରୁମାଲକୁ ସଭାନେତ୍ରୀ ବନମାଳା ବେକ ଚାରିପାଖେ ସୁନ୍ଦର ଭାବେ ସଜାଇ ବାନ୍ଧିଦେଇଥିଲେ । ସେହି ରୁମାଲର ଗୋଟିଏ କୋଣରୁ ସ୍କୁଲ ନାମ ଥାଇ ଗୋଟିଏ ଛୋଟ ସ୍ୱର୍ଣ୍ଣପଦକ ଝୁଲି ତା’ ଛାତି ଉପରେ ପଡ଼ିଥାଏ–

ତା’ ପରେ କାଲି । ଡ଼ି.ପି. ଆଇ ମହୋଦୟଙ୍କ ପରିଦର୍ଶନ ଥିଲା । ବନମାଳାକୁ ସେହି ରୁମାଲ୍ ପିନ୍ଧି ଆସିବାକୁ କୁହାଯାଇଥିଲା ଓ ସେ ଆସିଥିଲେ ମଧ୍ୟ ।

ତେବେ, କାଲି ଦିନ ଦୁଇଟା ବେଳେ ଆମେ ବନମାଳାକୁ ଚିରଦିନ ଲାଗି ହରାଇଦେଲୁ ।

[ପଦ୍ମଜା ଲକ୍ଷ୍ୟକଲେ, ଏହି ଧାଡ଼ିଟାର ଅକ୍ଷରଗୁଡ଼ାକ ଥରିଥରି ଉଠିଛି]

ସ୍କୁଲ ପାଚିରି ପଛପଟେ ଥିବା ଗୋଟିଏ ଛୋଟ ଗାଡ଼ିଆ ଭିତରେ ପଡ଼ିଯାଇ ବନମାଳା ପ୍ରାଣତ୍ୟାଗ କରିଛି ।

ସହସ୍ରସଂଖ୍ୟାରେ ନରନାରୀ ଉପସ୍ଥିତ ହୋଇ ଦେଖିଲେ, ଶବଟି ବନମାଳାର । ବନମାଳାର କୃତିତ୍ଵର ଉଚ୍ଛ୍ଵସିତ ପ୍ରଶଂସା । ସଙ୍ଗେ ସଙ୍ଗେ, ତା’ର ଅକାଳ ତିରୋଧାନରେ ବହୁ ଚକ୍ଷୁ ଅଶ୍ରୁସିକ୍ତ ହୋଇଉଠିଲା ।

ଡି.ପି.ଆଇ ମହୋଦୟ ନିଜ ପରିଦର୍ଶନ ଦିବସରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଲାଗି ବ୍ୟଥିତ ଓ ବହୁକ୍ଷଣ ଲାଗି ହତବାକ୍ ହୋଇଗଲେ ।

ବନମାଳାର ବେକ ଚାରିପଟେ ରୁମାଲଟି ବନ୍ଧାଯାଇଥିଲା, କିନ୍ତୁ ମଝିରେ ଝୁଲୁଥିବା ଛୋଟ ପଦକଟି ବିନା ।

ସଙ୍ଗେ ସଙ୍ଗେ ଡି. ପି. ଆଇ ମହୋଦୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି ଡକାଇ ପ୍ରଶ୍ନ କଲେ, ବନମାଳାର ମୃତ୍ୟୁ ସମ୍ବନ୍ଧରେ କେହି କିଛି ଜାଣିଛକି ? ତା’ ପରେ ଜଣ ଜଣକୁ ଡକାଇ ପ୍ରଶ୍ନ କଲେ । ସମସ୍ତେ ଦୃଢ଼ ସ୍ଵରରେ ‘ନାହିଁ’ ‘ନାହିଁ’ କରିଦେଇଗଲେ ।

ସେଥିରୁ ସମସ୍ତେ ସ୍ଥିରକଲେ ଯେ ବନମାଳା କୌଣସି କାରଣବଶତଃ ସେଠାକୁ ଯାଇ ନିଜ ଅସାବଧାନତା’ ଯୋଗୁଁ ପାଣିରେ ପଡ଼ିଯାଇଛି । ଆଉ, ପଦକଟା ଖସିପଡ଼ି ପାଣିରେ ବୁଡ଼ିଯାଇଛି । ଆଜି ଏପର୍ଯ୍ୟନ୍ତ (ଚାରିଟା ସୁଦ୍ଧା) ତାହାର ପତ୍ତା ମିଳୁନାହିଁ । ଫାୟାର ବ୍ରିଗେଡ଼୍ ଦମକଳକୁ ଖବର ପଠାଯାଇଛି ପାଣି ବାହାର କରିଦେବାଲାଗି ।

ତେବେ ଯେଉ ରିଙ୍ଗ୍‍ରେ ପଦକଟା ଝୁଲୁଥିଲା, ସେହ ରିଙ୍ଗ୍‍ଟି ଅକ୍ଷତ ଅଛି । ପଦକଟା ଖସିଲା କିପରି ?

ସେହି ‘‘କୌଣସି କାରଣବଶତଃ’’ ମଧ୍ୟରେ ରହିଗଲା । ତେବେ, ଏ ଘଟଣାଟି ମୋ’ ଆଖିଆଗରେ ଏକ ବିରାଟ ସମସ୍ୟା କରାଇଛି–ଅନୁସନ୍ଧାନ କରିବାଲାଗି ପୁଲିସ୍‍କୁ ଅନୁମତି ଦେବି, ନା ନିଜେ ଅନୁସନ୍ଧାନ କରିବି ।

ନିଜେ ଅନୁସନ୍ଧାନ କରିବାକୁ ଯିବାବେଳେ ମୋର ଜଣକ ଉପରେ ସନ୍ଦେହ ହେଉଛି । ସେ ହେଉଛି ଆପଣଙ୍କ ଉଷା । କେବଳ ସନ୍ଦେହ ହେଉଛି, କ୍ଷମା କରିବେ । କାହିଁକି ନା, ସେ ପୁରସ୍କାର ରହସ୍ୟ ମୁଁ ଟିକିଏ ଜାଣେ । ସେତକ ମୁଁ କେବଳ ଆପଣଙ୍କ ସଙ୍ଗେ କଥାବାର୍ତ୍ତା କରିବାକୁ ଚାହେଁ ।

ଆପଣ ଦୟାକରି ଏଠା ଶହୀଦ ପାର୍କରେ ମୋ ସହ ତା’ ୧୫।୯।୫୮ ଦିନ ଅପରାହ୍ନ ଘ ୫ଣ୍ଟା ସମୟରେ ଦେଖା କରିବାକୁ ଅନୁରୋଧ । ଇତି

ବିଶ୍ଵସ୍ତା

ଶୁଭ୍ରାଦେବୀ

☆☆☆

 

ପାଞ୍ଚମାସ ତଳେ–

 

ଉଷା ମାମୁଁଘରେ ରହି ପଢ଼ୁଛି । ମାମୁଁଙ୍କ ଏକମାତ୍ର ପୁତ୍ର ଚକ୍ରପାଣି ମେଡ଼ିକାଲ୍ କଲେଜରେ ପଢ଼ୁଛି, ୫ମ ବର୍ଷ । ଉଷା ଏହି ପରିବାରର ସମସ୍ତଙ୍କ ଆଦରର ସାମଗ୍ରୀ । ଚକ୍ରପାଣିର ପରୀକ୍ଷାରେ ପାସ୍ ଖବର ପାଇ ମାମୁଁଘରେ ଯେଉଁ ବଡ଼ଧରଣର ଭୋଜି ହୋଇଥିଲା, ସେହି ଉତ୍ସବରାତିରେ, ଗୋଟିଏ ତୁମୂଳ କାଣ୍ଡ ଘଟିଥିଲା ସେଇଘରେ । ଉଷା ଥିଲା ସେତେବେଳେ ୮ବର୍ଷର ବାଳିକା ।

 

ସେଦିନ ତା’ ମାମୁଁଘରକୁ ଯେତେ ପିଲା ଆସିଥିଲେ, ସେ ମଧ୍ୟରେ ଉଷାର ସମବୟସ୍କ ଅନେକ ଥିଲେ । ଉଷା ସେମାନଙ୍କସଙ୍ଗେ ଖେଳାଖେଳି କରିବା କଥା, ନା, ଉଷା ଅନନ୍ୟ ସାଧାରଣ ପିଲା । ସେ ଚକ୍ରପାଣିର ଭାବି ଶାଶୁ ଚଞ୍ଚଳାଙ୍କ ସହ ସର୍ବଦା ଚଲାବୁଲା କରିବା ଦେଖାଗଲା । ବୁଢ଼ୀ ମଧ୍ୟ ଉଷାକୁ ଏତେ ଭଲ ପାଇଲେ ଯେ’ ସେଥିରେ ସମସ୍ତେ ଟିକିଏ ବିସ୍ମିତ ହୋଇପଡ଼ିଲେ ।

 

ଭୋଜି ହେବାର ପ୍ରାୟ ଏକ ସପ୍ତାହ ଆଗରୁ ବୁଢ଼ୀ ଆସି ଉଷାର ମାମୁଁଘରେ ରହିଥିଲେ-। ସେ ଥିଲେ ସୁକାନ୍ତବାବୁଙ୍କ ପତ୍ନୀ । ସ୍ୱର୍ଗତ ଏସ. ପି. ସୁକାନ୍ତବାବୁ ସାରା ଜୀବନ ଖଟିଖଟି ପରିବାରର ଭବିଷ୍ୟତଲାଗି ରଖିଯାଇଥିଲେ କଟକରେ ଗୋଟିଏ ଦୁଇମହଲା କୋଠା ଓ ବ୍ୟାଙ୍କରେ ଦୁଇଲକ୍ଷ ଟଙ୍କା । ବିଧବା ବୁଢ଼ୀ ଓ ସମସ୍ତ ସଂପତ୍ତିର ଏକମାତ୍ର ଉତ୍ତରାଧିକାରିଣୀ ରୂପେ କନ୍ୟା ସ୍ନେହପ୍ରଭା ଛଡ଼ା ପରିବାରରେ ଆଉ କେହି ନଥିଲେ ।

 

ସ୍ନେହପ୍ରଭା କଟକରେ ଏମ୍. ଏ. ଛାତ୍ରୀ । ନିଜ ବାତରୋଗ ସଂପର୍କରେ କିଛି ପ୍ରାରମ୍ଭିକ ଆଲୋଚନା ଓ ଚିକିତ୍ସା ଚଳାଇବା ଲାଗି, ଭାବୀଡ଼ାକ୍ତର ଓ ଭାବୀ–ଜାମାତା’ ଚକ୍ରପାଣି ପାଖକୁ ବୁଢ଼ୀ କିଛିଦିନ ଆଗରୁ ଚାଲି ଆସିଥିଲେ । ରହିବାର ଚାରିପାଞ୍ଚ ଦିନ ମଧ୍ୟରେ ଦେଖାଗଲା, ଉଷା ଓ ବୁଢ଼ୀ ଏକପ୍ରାଣ ହୋଇଯାଇଛନ୍ତି ।

 

ଧନୀ, ଅଭିଜାତ ପରିବାରରେ ବ୍ୟକ୍ତିବିଶେଷର ଖିଆଲ ଥାଏ । ଆଉ ସେ ଖିଆଲ୍ ‘‘ହାଁ–ଜୀ’’ ‘‘ଯୋ–ହୁକୁମ’’ ବାଲାଙ୍କର ପ୍ରଶଂସାରେ ମୁଖରିତ ହୋଇଉଠେ ।

 

ଚଞ୍ଚଳାଙ୍କର ସେହିପରି ଗୋଟିଏ ଖିଆଲ୍ ଥିଲା । ଚଞ୍ଚଳାଙ୍କ ବିବାହ–ପୂର୍ବ ଜନ୍ମଦିନ ତାଙ୍କ ମାମୁଁ ଗୋଟିଏ ସୁନାର ଚେନ୍ ତାଙ୍କୁ ଉପହାର ଦେଇଥିଲେ । ସେଇ ଚେନ୍ ମଝିରେ ଝୁଲୁଥିଲା ଗାଢ଼ ନୀଳବର୍ଣ୍ଣର ଗୋଟିଏ ଅଣ୍ଡାକୃତି କାଚ ଓ ସେହି କାଚଭିତରେ ପାରଦ ଏପରି ଭାବେ ଖଞ୍ଜାଯାଇଥିଲା ଯେ କାଚଟିର ସାମାନ୍ୟ କମ୍ପନ ଦ୍ୱାରା ତାହା ଭିତରେ ବହୁ ବର୍ଣ୍ଣର ରଙ୍ଗୀନ ଲହରୀ ସୃଷ୍ଟି ହେଉଥିଲା ।

 

ଏହି ଜିନିଷଟି ଥିଲା ଚଞ୍ଚଳାଙ୍କର ଅତି ପ୍ରିୟ ବସ୍ତୁ । ଅନେକ ସମୟରେ ବୃଦ୍ଧା ଏକାକୀ ଶୋଇରହି ତନ୍ମୟ ହୋଇ କାଚଟିର ବର୍ଣ୍ଣ ବିଭବ ଉପଭୋଗ କରନ୍ତି । ସ୍ନେହପ୍ରଭା ମା’କୁ ରାଗିବା ଦେଖିଲେ କହେ–’’ଯା, ଯା ତୋର ରାଗ କାହାର ଦରକାର ନାହିଁ । ତୋ’ କଣ୍ଢେଇ ନେଇ ଖଟ ଉପରେ ଯା ଖେଳିବୁ । ବୃଦ୍ଧା କଥା ମାନି ଚାଲିଯାନ୍ତି । ବିଧବା ହେବାପରେ ମଧ୍ୟ ଚଞ୍ଚଳା ସାମାଜିକ ଅନୁଷ୍ଠାନରେ ଯୋଗଦେବାବେଳେ ସେହି ଆଦରର ମାଳାଟି ପିନ୍ଧନ୍ତି ।

 

ଚଞ୍ଚଳାଙ୍କ ସହ ଘନିଷ୍ଠତା’ ଫଳରେ ଉକ୍ତ ଖିଆଲଟି ଉଷା ବେଶ୍ ଜାଣିପାରିଛି ।

 

ଦୁହେଁ ବହୁ ସମୟ ନୀରବରେ ନୀଳ କାଚଟିର ଅଦ୍ଭୁତ ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି-

 

ଉଷା ମାଳାଟିକୁ ବିସ୍ମୟ ଓ ଆନନ୍ଦରେ ଚାହିଁଥିବା ବେଳେ ବୃଦ୍ଧା ତାକୁ କୋଳକୁ ଆଉଜାଇ ନେଇ କହନ୍ତି–’’ମା’ଉଷି’ ଏ ମାଳାଟି ଭାରି ସୁନ୍ଦର, ନା ? ତୋର ଏପରି ଗୋଟିଏ ଦରକାର ?’’

 

ଉଷା ଆଶାରେ ବଳିପଡ଼ି ତାଙ୍କ ବେକକୁ କୁଣ୍ଢାଇ ଧରି ତାଙ୍କ ଗାଲରେ ଚୁମାଦିଏ । ଚଞ୍ଚଳା ତାକୁ ନିବିଡ଼ ଆଲିଙ୍ଗନରେ ବାନ୍ଧି ରଖନ୍ତି । କହନ୍ତି,–’’ଏ ଶୁଖିଲା ଗାଲରେ ଚୁମାଦେଇ କ’ଣ ପାଇବୁ ଉଷି ! ତୋ’ ଟିକି ବର ଗାଲରେ ଚୁମା ଦେଲେ ସିନା ସେ ଗେଲ କରିବ, ଏପରି ଅନେକ ହାର ଦେବ ।

 

ଉଷା କହେ–’’ମୋର କିଏ ଟିକିବର ଦରକାର ନାହିଁ । ତମେ ମୋ ବର ହୁଅ ।’’

 

ଚଞ୍ଚଳା ହସି ହସି ବେଦମ୍ ହୋଇପଡ଼ନ୍ତି ଓ ଉଷା ମୁହଁରେ ଅଜସ୍ର ଚୁମ୍ବନ ଢାଳିଯାନ୍ତି ।

 

ପ୍ରାୟ ପ୍ରତିଦିନ ଚଞ୍ଚଳା ସମୁଦୁଣୀଙ୍କ ସାଙ୍ଗରେ କଥାବାର୍ତ୍ତା ହେଲାବେଳେ ଏହି ଅଭିନୟ ଚାଲେ । ଚଞ୍ଚଳା ଶେଷକୁ କହନ୍ତି ସମୁଦୁଣୀ, ଏ ଝିଅଟା କିଏ କି ? ମୋ କନିଆଁଟା ପରା ! ମୁଁ ମଲାଦିନ ୟାକୁ ଏ ହାରଟା ଦେଇଯିବି । ତମେ ସାକ୍ଷୀ । ହେଲେ, ଯମ ମୋତେ ନେଉନାଇଁ ଲୋ, ଝିଅ । ସ୍ନେହଟିଏ ଘରକୁ ଆସିଯାନ୍ତା, ମୁଁ ନିଶ୍ଚିନ୍ତ ହୋଇ ଆଖି ବୁଜନ୍ତି.... । ଶେଷକୁ ଚଞ୍ଚଳାଙ୍କ ସ୍ୱରଟା କେମିତି ଗମ୍ଭୀର ହୋଇଉଠେ ।

 

ଭୋଜିଦିନ ଉଷା ଦେଖିଲା ବହୁ ବାଳକ ବାଳିକା ସୁନ୍ଦର ପୋଷାକ ଓ ଅଳଙ୍କାରରେ ମଣ୍ଡିହୋଇ, ଚାରିଆଡ଼େ ଧାଁ ଦୌଡ଼ କରି ଖେଳୁଛନ୍ତି । ସେ ଭାବିଲା–ଆଜି ଯଦି ସେ ମାଳାଟା ପାଇଯାନ୍ତା !

 

ସନ୍ଧ୍ୟାରେ ଘରଟାଯାକ ଆଲୁଅରେ ଜଳିଉଠିଲା । ଉଷା ଚଞ୍ଚଳାଙ୍କ ସଙ୍ଗେସଙ୍ଗେ ଘର ଛାତଉପରେ ଧୀରେଧୀରେ ଚଲାବୁଲା କରୁଥାଏ । ଚଞ୍ଚଳା ବାତଗ୍ରସ୍ତା । ଚାଲିଚାଲି ଟିକିଏ ହାଲିଆ ଲାଗିବାରୁ ଗୋଟାଏ ଚୌକିରେ ବସିପଡ଼ିଲେ ଓ ବସିବା ସଙ୍ଗେସଙ୍ଗେ ସେହି ଉପରୁ ଚୌକିସହ ତଳକୁ ଖସିପଡ଼ିଲେ । ଚୌକିଟା ଘର ପଛର ବଗିଚା ଭିତରେ ପଡ଼ିଲା ସେହିଠାରେ, ଯେଉଁଠିକି ଗୋଟିଏ ଭଙ୍ଗାଇଟା ଗଦାଥିଲା । ତା’ ଉପରେ ଚଞ୍ଚଳା ନିର୍ମମଭାବେ ପଡ଼ିଗଲେ ।

 

ଉଷା ଓହ୍ଲାଇ ଆସି ମାଈଁଙ୍କୁ ଖବର ଦେଲା ଯେ ମାଉସୀ କୋଠାଉପରୁ ଖସିପଡ଼ିଛନ୍ତି । ସଙ୍ଗେ ସଙ୍ଗେ ଚାରିଆଡ଼େ ହୁଲସ୍ତୁଲ ପଡ଼ିଗଲା । ହର୍ଷ କୋଳାହଳ ପରିବର୍ତ୍ତେ ବିଳାପର କରୁଣରାଗିଣୀ ଚତୁର୍ଦ୍ଦିଗ ମୁଖରିତ କରିଦେଲା । କାହାର ଅଙ୍ଗୁଳି ନିର୍ଦ୍ଦେଶରେ ଯେପରି ସବୁ କିଛି ଓଲଟପାଲଟ ହୋଇଗଲା ।

 

ପଦ୍ମଜା ଆସି ଗାଡ଼ିରୁ ଓହ୍ଲାଇ ହଠାତ୍ ଏସବୁ କିଛି ବୁଝିପାରିଲେ ନାହିଁ । କିନ୍ତୁ ଘଟଣାଟା ଜାଣିବାରେ ତାଙ୍କର ବିଳମ୍ବ ହେଲା ନାହିଁ ।

 

ଉଷା ମା’ର ହାତ ଧରି ଠିଆହୋଇଥାଏ । ମୁଖଟି ଥିଲା ତା’ର ପ୍ରଶାନ୍ତ ଓ ଉଜ୍ଜ୍ୱଳ ।

 

ବୃଦ୍ଧାଙ୍କର କ୍ଷତ ବିକ୍ଷତ, ରକ୍ତାକ୍ତ ଓ ଭଗ୍ନମୃତ ଦେହଟି ଯେତେବେଳେ ଅଣାଗଲା, ସମସ୍ତେ ଅଗଣାରେ ରହି ସେହି ଆକସ୍ମିକ ମୃତ୍ୟୁ ସଂପର୍କରେ ନାନା କଳ୍ପନାଜଳ୍ପନା କରୁଥିଲେ । ସ୍ନେହପ୍ରଭାକୁ ମୃତ୍ୟୁସମ୍ବାଦ ନ ଜଣାଇ, ସେଠାକୁ ଶୀଘ୍ର ଡାକିଆଣିବା ସ୍ଥିର କରାଗଲା ।

 

ଏହି ସମୟରେ ଉଷା ତା’ ମାଉସୀ କୋଠରୀକୁ ଗଲା । ତକିଆତଳୁ ଚାବିନେଇ ହାତବାକ୍ସ ଖୋଲିଲା । ଭିତରୁ ହାରଟି ବାହାରକରି ପିନ୍ଧିଲା ଓ ଆଇନା ଆଗରେ ଠିଆହୋଇ ନିଜକୁ ଟିକିଏ ଦେଖିନେଇ ହସିଲା । ତାପରେ ହାରଟିକୁ ଠିକ୍‍ଭାବେ ରଖିଦେଇ ଅଗଣାକୁ ଓହ୍ଲାଇଆସିଲା-

 

ଚଞ୍ଚଳାଙ୍କ ମୃତ୍ୟୁ ରହସ୍ୟଜନକବୋଧ ହେଲା । କେହି କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିଲେ ନାହିଁ । ଉଷା ତାଙ୍କ ସଙ୍ଗେ ଥିଲା । ତାକୁ ପଚାରିବାରୁ ସେ କହିଲା ଯେ ମାଉସୀ ଚାଲିଚାଲି ହାଲିଆ ହୋଇଯିବାରୁ ଚୌକିରେ ବସିପଡ଼ିଲେ । କିନ୍ତୁ ପାନଛେପ ପକାଇବା ଲାଗି ଚୌକିଟାକୁ ଖୁବ୍ ତଳକୁ ଟାଣିନେଲେ । ଥରେ ଲଇଁକରି ଛେପ ପକାଉ ପକାଉ ଗଡ଼ିପଡ଼ିଲେ । ତା’ ଆଖିବୁଜି ହୋଇଗଲା । ସେ ତା’ପରେ ଆସି ସଙ୍ଗେସଙ୍ଗେ ମାଈଁଙ୍କୁ ଜଣାଇଲା ।

 

ତେବେ, ଚଞ୍ଚଳାଙ୍କପରି ଜଣେ ବୃଦ୍ଧା ଏତେ ଅସାବଧାନ ହେବେ, ଏହା କେହି ବିଶ୍ୱାସ କଲେ ନାହିଁ । ସ୍ନେହପ୍ରଭା ଅଦ୍ଭୁତଭାବେ ମାତୃବିୟୋଗ ଦୁଃଖ ସହିଲା । ସେ ଏଇଠି କାହାକୁ କିଛି ନକହି ଗମ୍ଭୀରଭାବେ ତା’ର ସମସ୍ତ କର୍ତ୍ତବ୍ୟ କରିଗଲା । ଉଷାକୁ ସେ ମଧ୍ୟ ଚାହିଁନଥିଲା ।

 

ଚଞ୍ଚଳାଙ୍କ ଶବ ଯିବା ପଛେପଛେ ଘରେ ଯେଉଁ ବିଷାଦମୟ, ଶୂନ୍ୟ ଓ ନୀରବ ବାୟୁମଣ୍ଡଳ ଖେଳୁଥିଲା, ତାକୁ ଚହଲାଇ ଦେଇ ଉଷାମାଈଁଙ୍କ ପାଖେ ବସିପଡ଼ି କହିଲା,–ମାଈଁ, ମାଉସୀ ସେ ହାରଟା ମୋତେ ଦେବେ ବୋଲି କହୁଥିଲେ–ନୁହେଁ କି ? ବର୍ତ୍ତମାନ ସେଇଟା ମୋର-। ଉଷାର ଦେଶକାଳ ଜ୍ଞାନ ଅଭାବରେ ପଦ୍ମଜା କ୍ରୁଦ୍ଧା ହୋଇଉଠିଲେ । କହିଲେ–‘‘ଉଷା ଚୁପ୍ କର-।’’

 

ଚିନ୍ତାସାଗରରୁ ଉଠିଆସିଲା ପରି ମାଈଁ କହିଲେ–ହଁ ପଦ୍ମ ତାଙ୍କର ଗୋଟିଏ ସୁନ୍ଦର ହାର ଅଛି । ସେ ମୋତେ ସାକ୍ଷୀରଖି କହିଛନ୍ତି ଯେ ସେ ମଲାଦିନ ଉଷା ସେଇଟି ପାଇବ । ସେଇଟା ତା’ର ।’

 

ପଦ୍ମଜା ହଠାତ୍ କାହିଁକି ବିଚଳିତ ହୋଇ ବଡ଼ବଡ଼ ଆଖିରେ ଉଷାର ମୁହଁକୁ ଚାହିଁରହିଲେ-

 

ଶୋଇବାକୁ ଯିବା ସମୟରେ ସେ ଦେଖିଲେ, ଉଷା ଶେଯରେ ଶୋଇରହି ପିନ୍ଧିଥିବା ନୂଆ ହାରଟିର ନୀଳକାଚଟିକୁ ଏକଲୟରେ ଚାହିଁରହିଛି ଓ ମୁହଁରେ ଫୁଟିଛି ହସ ।

 

ଚଞ୍ଚଳଙ୍କ ମୃତ୍ୟୁର ଏକ ସପ୍ତାହପରେ ପଦ୍ମଜା ଉଷା ଓ ରୁଗ୍‌ଣ ବୃଦ୍ଧପିତାଙ୍କୁ ଧରିଆସିଥିଲେ ବଙ୍କିମ ବାବୁଙ୍କ ପୁରୀରେ ଥିବା କୋଠାକୁ । ଶେଷଜୀବନ ପୁରୀରେ କଟାଇବା ବୃଦ୍ଧଙ୍କର ଏକାନ୍ତ ଇଛା । ଚକ୍ରପାଣିର ବାରମ୍ବାର ଚିଠି ପାଇ ପଦ୍ମଜା ଉଷାକୁ ପୁଣି ମାମୁଁଘରେ ନେଇ ଛାଡ଼ିଦେଇ ଆସିଥିଲେ, ଏଇ ସର୍ତ୍ତରେ ଯେ ଏକମାସ ମଧ୍ୟରେ ଉଷାକୁ ହଷ୍ଟେଲରେ ରଖିଦିଆଯିବ ।

 

ଉଷାକୁ ଛାଡ଼ିଆସିଲା ଦିନ ଓକିଲ ହରପ୍ରସାଦବାବୁଙ୍କ ସନିଃର୍ବନ୍ଧ ଅନୁରୋଧ କ୍ରମେ ପଦ୍ମଜା, ଭାଇଭାଉଜ, ଉଷା ଓ ଚକ୍ରପାଣି ସହିତ ତାଙ୍କ ଭୋଜିରେ ଯୋଗ ଦେଇଥିଲେ ।

 

ଉଷା ଗାଢ଼ ଲାଲ ରଙ୍ଗର ଫ୍ରକ୍‍ଟି ଉପରେ ଚଞ୍ଚଳାଙ୍କ ଦାନ ସେହି ହାରଟି ପିନ୍ଧି ଦିଶୁଥାଏ ଅନୁପମ ।

 

ହରିବାବୁଙ୍କ ସ୍ତ୍ରୀ ସୁଷମା ଦେବୀ ସେହ୍ନପ୍ରଭା ସହ ଦ୍ଵାରମୁହଁରେ ଠିଆହୋଇ ସେମାନଙ୍କୁ ସ୍ୱାଗତ କରିଥିଲେ, ଚକ୍ରପାଣି ପିତାଙ୍କ ସହ ପୁରୁଷ ମହଲ ବୈଠକ ଆଡ଼େ ଚାଲିଗଲେ । ଅନ୍ୟ ସମସ୍ତେ ଅଗଣା ଭିତରକୁ ଗଲେ ।

 

ବହୁତ ସ୍ତ୍ରୀ–ବ୍ୟକ୍ତି ଜମା ହୋଇଥାନ୍ତି । ସତରଞ୍ଜି ଘେରା ପଥର ଅଗଣାଟା ତୋଫା ବିଜୁଳି ଆଲୁଅରେ ଦିଶୁଥାଏ ସୁନ୍ଦର । ଶିଶୁ, ବାଳିକା, କିଶୋରୀ, ଯୁବତୀ ଓ ପ୍ରୌଢ଼ାଙ୍କ ଉପସ୍ଥିତିରେ ସ୍ଥାନଟି ହସିଉଠୁଥାଏ । କଥା ମଝିମଝିରେ ହସର ସୁଅ ଲହରୀ ଭାଙ୍ଗିଥାଏ ।

 

ସୁଷମା ଦେବୀ ଥିଲେ ପୃଥୂଳକାୟା, ମିଷ୍ଟାଳାପୀ ତେଣୁ ମେଳାପୀ । ଗୋଲାପି ଶାଢ଼ୀଟି ପିନ୍ଧି ସେ ହସିହସି ଯେତେବେଳେ ଅଗଣାକୁ ପଶିଆସିଲେ, ଅଧିକାଂଶ ଚକ୍ଷୁ ତାଙ୍କ ଉପରେ ପଡ଼ିଲା-। ସେ ପଦ୍ମଜାଙ୍କୁ ସମସ୍ତଙ୍କ ସହ ପରିଚୟ କରାଇଦେଲେ–’’ଇଏ ପଦ୍ମଜା, ଏମ୍.ଏ । ଆମ ବଙ୍କିମ ବାବୁଙ୍କ ଝିଅ ।’’

 

ଆଉ ସ୍ନେହପ୍ରଭା କେଜାଣି କାହିଁକି କହିଉଠିଲେ, ‘‘ଉଷା ୟାଙ୍କର ଝିଅ !’’

 

ଏଇକଥା କେଇପଦ ପଦ୍ମଜାଙ୍କ ଛାତିଭିତରେ ପିଟିହୋଇ ଗଲା । କାନପାଖରେ ରକ୍ତର ଚଞ୍ଚଳ ଗତି ସେ ଶୁଣିପାରିଲେ ।

ସୁଷମ ଦେବୀ ଉଷାକୁ ତଳୁ ଟେକିନେଇ ଛାତଉପରେ ଡାକିଧରି କହିଲେ–’’ଏ ସୁନା ଖଡ଼ିକା ଉଷିଟା ତା’ ମା’ଠାରୁ ବେଶୀ ପାଠ ପଢ଼ିବ । ସେଦିନ ତାଙ୍କ ହେଡ଼ମାଷ୍ଟ୍ରାଣୀ କହିଥିଲେ–ଉଷା ଅନ୍ୟ ପିଲାଙ୍କଠାରୁ ଭିନ୍ନ । ତା’ର ଗୋଟିଏ ବଡ଼ଲୋକର ବିଚାର ଶକ୍ତି ଅଛି ।’’

ଉଷା ଛଟପଟ ହୋଇ ତଳକୁ ଖସିଆସିଲା ।

ସୁଷମା ଦେବୀ ଘରଭିତରକୁ ଚାଲିଯିବା ପରେ ପୁଣି ସ୍ତ୍ରୀମହଲରେ ଚାଲିଲା ହସଖୁସି, ଗପ । ଦଳଦଳ, ଭେଳାଭେଳା । ପାରିବାରିକ ସୁଖଦୁଃଖ । ଗତଦିନଗୁଡ଼ିକର ସ୍ମରଣିଦା । ଆଗାମୀର ଚେତାବନୀ । ଚିନ୍ତା ଓ ଯୋଜନା ।

ପଦ୍ମଜା ସୁଷମାଙ୍କ ନିକଟକୁ ଯିବା ବାହାନାରେ ଚାଲିଆସିଲେ । ସେ ଲକ୍ଷ୍ୟ କରିଥିଲେ ସ୍ନେହପ୍ରଭାର ଯିବାଟାକୁ । ତେଣୁ ଅଗଣା ଉପରୁ ଉଠିଆସି ପିଣ୍ଡା ଉପରେ ଉପରେ ସେ ଚାଲିଲେ ତଳଖଞ୍ଜାଆଡ଼େ ।

ସ୍ନେହପ୍ରଭା ଯାଇଥିଲା ।

ତା’ ପରେ ସେ ଅନ୍ଧାରରେ ମିଶିଗଲେ ।

ସ୍ନେହପ୍ରଭା ଉଷା ସମ୍ବନ୍ଧରେ ଯାହା କହିଲା, ସେଥିରୁ ସେ ଅନ୍ୟମନସ୍କ ହୋଇପଡ଼ିଥିଲେ । ସ୍ନେହପ୍ରଭାର ଗତିବିଧି ପ୍ରତି ସେ ଯେପରି ତୀକ୍ଷ୍ଣ ଦୃଷ୍ଟି ଦେଇଥିଲେ । ସେ ମନେକଲେ, ଉଷା ଯେପରି ସ୍ନେହପ୍ରଭାର ଚକ୍ଷୁଶୂଳ ହୋଇପଡ଼ିଛି । କାହିଁକି ?

 

ସେ ଆସ୍ତେ ଆସ୍ତେ ଦ୍ୱାର ନିକଟକୁ ଗଲେ । ତା’ ପରେ ଫୁଲବଗିଚା । ଯେ ଜନଗନ୍ଧା ଓ ଦିଲ୍‍ବାହାର୍‍ର ମିଠା ବାସନାରେ ସେ ଟିକିଏ ପ୍ରକୃତିସ୍ଥ ହୋଇ ଚାହିଁଲେ–ଦୂରରେ ଫୁଲବଗିଚାର ମଝିରେ ବସିଛନ୍ତି ଦୁଇଜଣ । ମେଘୁଆ ଆକାଶର ଅଷ୍ଟମୀ ଚାନ୍ଦ ଅସ୍ପଷ୍ଟ ଆଲୋକର ମାୟାପୁରୀ ରଚନା କରିଛି..... ।

 

ହଠାତ୍ ସ୍ତ୍ରୀ ବ୍ୟକ୍ତିଟି ଉଠିପଡ଼ି ଉତ୍ତେଜିତ ଭାବେ କହିଲା–’’ନା, ବଦ୍‍ମାସ୍‍ ଟୋକୀକୁ ସେ ଘରୁ ତଡ଼ିବାକୁ ହେବ । ତା’ ନହେଲା ପର୍ଯ୍ୟନ୍ତ ମୋର ସେ ଘର ସହିତ କୌଣସି ସଂପର୍କ ନାହିଁ ।’’

 

ପୁରୁଷଜଣକ ଉଠିପଡ଼ି ସ୍ତ୍ରୀଟିକୁ ଧୀରେ ଆଲିଙ୍ଗନ କରି ସେହି ଉତ୍ତେଜିତ ମୁଖମଣ୍ଡଳରେ ଚୁମାଟିଏ ଦେଇ କହିଲେ–’’ନୋ, ମାଇଁ ଲଭ୍ । ଏତେ ରାଗିବାର କାରଣ ନାହିଁ । ସନ୍ଦେହରେ ହଠାତ୍ ତାକୁ ତଡ଼ିଦେବାଟାକୁ ସମାଜ ଭିନ୍ନପ୍ରକାର ଦେଖିବ । ତେବେ, ଆଉ କେତେଦିନ ଖଣ୍ଡେ ରଖି, ତା’ର ଗତିବିଧି ପରୀକ୍ଷା କରିବାକୁ ହେବ, ତାପରେ–ଏଜ୍ ,ୟୁୱିସ୍ ।’’

 

ସ୍ତ୍ରୀଟି କହିଲା–’’ଆଉ ମୁଁ ମଧ୍ୟ ଦେଖିବି ଏ କେତେଦିନ ଭିତରେ ସେ ମର୍ଡ଼ରେସ୍ ଯେପରି ହାଜତକୁ ଯାଏ ।’’ ପଦ୍ମଜାଙ୍କ ଛାତି ଭିତରଟା ଦାଉଁ ଦାଉଁ ହେଲା । କାହା ବିଷୟରେ ଏକଥାବାର୍ତ୍ତା ହୋଇପାରେ । ତାଙ୍କର ସମଗ୍ର ଶରୀର ଯେପରି ଥରିଉଠିଲା । ସେ ଅନ୍ୟମନସ୍କଭାବେ ସେଠାରୁ ଫେରିଆସିଲେ । ମୁଣ୍ଡ ଭିତରେ ଚକ ବୁଲୁଛି ।

 

ପଦ୍ମଜା ଚୌକିଉପରେ ବସି ଗତ ପାଞ୍ଚମାସତଳର କଥାଗୁଡ଼ାକ ଭାବିବାରେ ଲାଗିଥିଲେ ।

 

ଠିକ୍ ଷଷ୍ଠମାସରେ ସେ ପାଇଛନ୍ତି ଚିଠି–ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରୁ ।

 

ସକାଳୁ ଉଠି ଉଷାପାଖକୁ ଘରର ପୁରୁଣା ମାଳି ଧନିଆଁକୁ ପଠାଇଲେ–ଉଷାକୁ ଆଣିବା ଲାଗି । ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟକୁ ବ୍ୟକ୍ତିଗତ ପତ୍ର ମଧ୍ୟ ପଠାଇଥିଲେ ।

 

ଧନିଆଁ ଶୁଭ୍ରାଦେବୀଙ୍କୁ ଚିଠିଟି ନେଇ ଦେଲା । ଶୁଭ୍ରାଦେବୀ ବୁଢ଼ା ଚପରାସୀ ହାତରେ ଉଷାକୁ ଡ଼କାଇପଠାଇଲେ ଅଫିସ୍‍କୁ ।

 

କହିଲେ,–’’ଉଷା, ମା’ ବେମାର ଅଛନ୍ତି । ଶୀଘ୍ର ଜିନିଷପତ୍ରନେଇ ସନ୍ଧ୍ୟା ଏକ୍ସପ୍ରେସ୍‍ରେ ଘରକୁ ଚାଲିଯା । ବୁଢ଼ା ଚାକର ଆସିଛି । ଯା’ ହଷ୍ଟେଲକୁ, ଜିନିଷପତ୍ର ସଜାଡ଼ି ନେ ।’’ ଉଷା ନୀରବରେ ସବୁ ଶୁଣିଗଲା । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନମସ୍କାର କରି ବାହାରି ଆସିଲା ।

 

ଉଷା ଧନିଆଁର ସବୁ ଜାଣିବା ପ୍ରବୃତ୍ତିକୁ ଆଦୌ ଭଲ ପାଏନା । ଧନିଆଁ ତେଣୁ ପ୍ରତିକଥାରେ ଉଷାକୁ ଚିଡ଼ାଇବାକୁ ଚେଷ୍ଟା କରେ । କିନ୍ତୁ ଉଷା ରାଗେନା । ତଥାପି ଧନିଆଁ ଚେଷ୍ଟାରେହିଁ ପ୍ରଚୁର ଆନନ୍ଦ ପାଏ । ଆଉ ସେ ମଧ୍ୟ ଜାଣେ ଯେ ଉଷା ଅନ୍ୟାନ୍ୟ ପିଲାପରି ୟା’ ତା’ ଆଗରେ କୌଣସି ବିଷୟ କହେନା ।

 

ଧନିଆଁ କହିଲା–’’ବାବି, (ଉଷାକୁ ସେ ବାବି ବୋଲି ଡ଼ାକେ) ମା’ ତ ବେମାର ନାହାନ୍ତି । ସେ ବୁଢ଼ୀ ଅସୁରୁଣୀଟା ଚଷମାଟେ ପିନ୍ଧି ଏମିତି ଗୁଡ଼ାଏ କ’ଣ କହିଲା ? ଏ ବାବି, ମଲା, କଥା କାହିଁକି କହୁନ ମ ? ଏ ବାବି–’’

 

ଉଷା କହିଲା–’’ଧନିଆଁ, ଚୁପ୍ ହେଉଛୁ ନା ନାହିଁ ? ‘‘

 

‘‘ମଲା, ପଚାରିଲେ ରାଗୁଛ କାହିଁକି ?

 

‘‘ମୁଁ ରାଗି ନାହିଁ ।’’

 

‘‘ବେଶ୍ ତେବେ । ଏ ବାବି, ବୁଢ଼ା ଚପରାସୀଟା ମୋ ସାଙ୍ଗ । ସେ କହୁଥିଲା, ତମକୁ ଏଠୁ ତଡ଼ା ହେଉଛି । ଗେଟ୍ ଆଉଟ୍ ମତେ କହୁଥିଲା ପରା ! ଏବେ ତୁମେ ଏଠୁ ଗେଟ୍ଆଉଟ୍ ୟାଁ, ସତ କି ମିଛ ? ଏ ମା, କଥା କାଇଁ କହୁ ନ ବା ? ....ମୁଁ ସବୁ ଜାଣେ । (ଖୁଁ ଖୁଁ କରି ମୁଣ୍ଡ ହଲାଇ ହଲାଇ ହସିଲା) ।’’

 

ଉଷା ତା’ ଆଡ଼କୁ ଚାହିଁଲା, ପଚାରିଲା–’’କ’ଣ ଜାଣୁ ?’’ ଧନିଆଁ ଧଡ଼ପଡ଼ ହୋଇ ରେଳସିଟ୍‍ରୁ ଉଠିପଡ଼ି ଆଗ୍ରହରେ କହିଲା–’’ହେଇ, ହେଇ, ମୁଁ କହୁନଥେଲି, ମୁଁ ସବୁ ଜାଣେ । (ହସିଲା) । ଏ ବୁଢ଼ାର ପାଚିଲା ଦାଢ଼ି ଯେତେ, ସେ ସେତେ କଥା ଜାଣେ । ବନବାଳିଆ ମଲା ତେମେ କ୍ୟାଁ ଗେଟ୍ ଆଉଟ୍ ହେଲ ? ମୁଣ୍ଡରେ ଗୋବର ଥେଲାବାଲା ବି କହିବ–କହିବ–ତେମେ ସେ ଟୋକିଟାକୁ ମାରିଦେଲ । ଆଉ, କାଇଁ ମାଇଲ ଜାଣ ? (ହାତରେ ଚକିପରି ଦେଖାଇ ହିଁ, ହିଁ ହୋଇ ହସିବାକୁ ଲାଗିଲା) ।

 

ଉଷା କହିଲା–‘‘ତୁ ଗୋଟାଏ ବୋକା–ଇଡ଼ିୟଟ୍–ଆଉ, ତୋର ସବୁ କଥା ମିଛ–ବଦ୍‍ମାସୀ ।’’

ଧନିଆଁ ଉତ୍ସାହିତ ହୋଇ କହିଲା–’’ଏ ବାବି, ସେ ଚକିଟା ପାଣିରେ ତ ପଡ଼ିନଥିଲା । ଥିଲେ ଥିବ ଏଇ ହାତ ବାକ୍‍ସରେ । ସତ ନା ମିଛ ?’’

ଉଷା ତା’ର ଜବାବ୍ ନଦେଇ ଛବିବହିଟିଏ ଦେଖି ବସିଲା । ଧନିଆଁ ଉଷାର ଜିନିଷପତ୍ରଗୁଡ଼ାକ ନିଜ ପାଖରେ ପୁଣି ସଜାଡ଼ିକରି ରଖିଲା । ଭାବିଲା–ଆର ଇଷ୍ଟେସନରେ ଶଳା ଗାଡ଼ିଟା ରହିବ ।

ପୁଣି ଜିନିଷଗୁଡ଼ାକୁ ରଖିବା ବାହାନାରେ ନଇଁପଡ଼ି ଉଷାର ମୁହଁକୁ ତଳଆଡ଼ୁ ଦେଖି ମାଙ୍କଡ଼ ପରି ପାଟିଟାକୁ କରି ଖତେଇ ହେଲା । ଜି–ଜି–ଜି ଶବ୍ଦ କଲା । ଉଷା ତା’ଆଡ଼େ ଆଖି ଫେରାଇଲା ନାହିଁ ।

ପୁରୀ ଆସିଗଲା ।

ଶଳା ମାନିଆଁ ଗାଡ଼ିଟା ଚାଲୁଥିଲେ କ’ଣ ମରିଯାଉଥିଲା ? ଟୋକିଟା ରାଗ ଆସୁଥିଲା ତ–ଧନିଆଁ ମନକୁ ମନ ହିଁ ହିଁ କରି ହସିଲା ।

ଉଷା ରିକ୍ସାରେ ଚାଲିଗଲାଣି । ଧନିଆଁ ଜିନିଷତକ ଧରି ଯିବ ।

ଏଁ ! ଟୋକିଟା ସାଇବାଣୀ ପରି ଠପ୍ ଠାପ୍ ଜୋତାମାରି ଚାଲିଗଲା । ମୁଁ ଶଳା କାଇଁକି ତା’ ଜିନିଷ ନେବି ? ମୁଁ ନେବି ନାହିଁ । କଦାପି ନେବି ନାହିଁ । ଦେଖେଙ୍ଗା.... । କିନ୍ତୁ ଟଙ୍କାଟାର ମିଠେଇ ନେଲେ ଶଳାବୁଢ଼ୀଟା ପାଟି ସୁଆଦ କରନ୍ତା !

ଏସବୁ ଭାବି ଧନିଆଁ ଜିନିଷଗୁଡ଼ାକ ମୁଣ୍ଡେଇ ରିକ୍ସାପାଖକୁ ଗଲା ।

ଟୋକିଟାପେଇଁ ଗୋଟେ ଭଲ ଲଡ଼ୁ ନେବି । କହିବି, ମୋ ଦାନ୍ତ ସଫା ନା ତୋ’ ଦାନ୍ତ । ଦେଖା ଆଁ କଲେ ନଡ଼ୁଟା ଗାବୁ କରି ମାଡ଼ିଦେବି ପାଟିରେ । ଶଳାଟୋକି ରାଗିବ ତ !

ଧନିଆଁ ରିକ୍ସାରେ ବସିପଡ଼ିଲା ଓ ତାଳିମାରି ଉଠିଲା । ମିଠେଇ ଦୋକାନଟା ସାଇଁକରି ପଳାଉଥିବାର ଦେଖି ପାଟିକଲା–‘‘ଆରେ ବେହିପୋ, ଠରେ ।’’

ଦୋକାନରେ ପଶି ଟଙ୍କାକର ମିଠେଇ ଖାଇଦେଲା । ରିକ୍ସାକୁ ପଇସା ନାହିଁ ।

କହିବି, ବାବି ମତେ ପଇସା ନଦେଇ ଚାଲିଆସିଲା । ଦେଖିବା, କିଏ ବୋକା ? ହ୍ୟାପ ଟୋକି ରାଗିବ ତ ।

ଜିଭଟାକୁ ଗାଲ ଭିତରେ ଠେସ ଧନିଆଁ ଆରାମ ହୋଇ ରିକ୍ସାଗଦି ଉପରେ ଆଉଜିଗଲା ।

ସନ୍ଧ୍ୟାରେ ବିଡ଼ିଟାଣି କାଶିକାଶି ଧନିଆଁ ତା’ ଘରେ ପହଞ୍ଚିଲା । ସ୍ତ୍ରୀ ରେଙ୍ଗ ପଚାଚିଙ୍ଗୁଡ଼ି ଧୋଉଛି ରାନ୍ଧିବାକୁ । ବୁଢ଼ା ରୋଗିଣା କୁକୁରଟା ଆଗଗୋଡ଼ ଦିଟା ଉପରେ ମୁଣ୍ଡଲଦି ସେଇଆଡ଼େ ଚାହିଁ ପାଖରେ ପଡ଼ିଛି । ନାଲି ଆଲୁଅ ଦେଖାଇ ଭସ୍‍ଭସ୍ ଧୁଆଁ ଛାଡ଼ି ଛୋଟ ଡ଼ିବିଟା ପାଖରେ ଜଳୁଛି । ଧନିଆଁ ସେ ପାଖରେ ଥୁଥୁ କରି ଦି ଲଣ୍ଡା ଛେପ ପକାଇଦେଲା । କହିଲା–’’ଇହାବଉ, ଆଜି ସେ ଟୋକି ଆସିଲା କଟକରୁ । ଏଡ଼େ ବଜାତ୍– ।’’

 

ବୁଢ଼ୀ ଗଣଗଣିଆ ସ୍ୱରରେ କହିଲା–

 

‘‘ଅଳ୍ପେଇସିଆ’’, ସେଇ ସେଇ କଥା ଖାଲି ତୋତେ ଭେଳିକି ନାଗିଛି । ବଡ଼ ଲୋକଘର ଝିଅବୋହୂ ଯାହା ହେଲେ କି ଯାହା କଲେ, ତୋର କ’ଣ ଗଲା ବା ?

 

‘‘ଆଲୋ ରାଣ୍ଡି, ବଡ଼ଲୋକର ଝିଅବୋହୂ ବୋଲି ଆମକୁ କଥା କହିବ ନାଇଁ ? ସେ ଟୋକିଟା ଅଣ୍ଡିରାଚଣ୍ଡୀ । ଆଜି ମୋ ସାଙ୍ଗେ ଦିପଦ କଥାବାର୍ତ୍ତା ହେଲା । ରାଗ ଆସୁଥେଲା ତ, ତାକୁ ବୋରାବୋରି ରଗେଇବି । ଆଉ ମତେ ପଦେ କ’ଣ କହିଲେ, ଦି ପଦ କହିବି, ନହେଲେ ଦି’ଟା ବଜେଇ ଦେବି ।’’

 

କଳ୍ପନାରେ ମସ୍‍ଗୁଲ ହୋଇ ଧନିଆ ଆନନ୍ଦରେ କୁରୁଳି ଉଠିଲା ।

 

ରେଙ୍ଗ କହିଲା–’’ଅଳ୍ପେଇସିଆ, ମରିବୁରେ, ଉତ୍ପାତ ହୋନା । ମାମୁଁଘର ଦେଖିବୁ ।

 

ଧନିଆଁ ଭାବିଲା–ବେହିପୋ ବଡ଼ନୋକ ବୋଲି ତାଙ୍କର ବଡ଼ଘର । ଚାରିଆଡ଼ ଖାଲି ସଫାସୁତୁରା । ବାସନା । ଘରେ ଗାନା ବାଜଣା । ଟୋକି ମା’ଟା ଡଉଲିଆ ମାଈକିନିଆଟେ । ଦିନେ ରାତିରେ ଏଠିକି ଆସି ଯାନ୍ତାକି ! ଇ ରାଣ୍ଡିବୁଢ଼ୀ କ’ଣ ମରୁଛି ନା ବାପ ଘରକୁ ଯାଉଛି । ନହେଲେ, ସେ ମାଈକିନାଟା ତା’ ବଗିଚାର ଦକ୍ଷିଣକୋଣକୁ ଏକୁଟିଆ ଯାନ୍ତା କି !

 

ଗୋଟିଏ ଉତ୍ତେଜନାରେ ଡିବିରେ ବିଡ଼ିଟା ଲଗାଇ ଧନିଆଁ ଘରପାଖ ସଜନାଗଛମୂଳେ ଭଙ୍ଗା ଦଉଡ଼ି-ଖଟିଆ ଉପରେ ବସି ଗୋଡ଼ ହଲାଇଲା । କେଁ କେଁ ଶବ୍ଦକରି ଖଟିଆଟା ତା’ ମନର ଉତ୍ତେଜନାକୁ ଆହୁରି ବଢ଼େଇଦେଲା ।

 

ଧନିଆଁ ଭାବିଲା–ଶଳା ମାଈକିନାଗୁଡ଼ାକ ବି ବଡ଼ନୋକ ହୋଇ ତା’ ପରି ମରଦ ପିଲା ସାଙ୍ଗେ କଥାବାର୍ତ୍ତା କରୁନାହାନ୍ତି । ହେଇ, ହେଇ ସେ ପଡ଼ିଶାଘର ମୋଟି ଡାହାଣୀଟା । ଟୋକିଟାକ ବେହିପୋ ଚୁମା ଦଉଚି । ଆରେ, ଆମକୁ ବି ଚୁମାଦେଇ ଆସେ ।

 

ଜୋରରେ ଶୂନ୍ୟକୁ ଚୁମା ଦେଇ ଧନିଆଁ ବାବିକୁ ଚଳାଉଛି ଭାବି ହସି ଉଠିଲା ।

 

ଚେଙ୍ଗ ତା’ ଆଡ଼େ ଗାରଡ଼େଇ ଚାହିଁ କହିଲା–’’କିରେ, ଗାତପଶା, ଭାଟିକୁ ଯାଇଥିଲୁ କି-?’’

 

‘‘ଆଲୋ ରାଣ୍ଡି, ତମ ମାଈକିନିଆ ଗାଲରେ ଚୁମା କିପରି ଦିଆଯାଏ, ସେଇଟା ତତେ ମନେପକାଇ ଦେଇ ଦଉଥେଲି ।’’

 

ଧନିଆଁ ଠିକ୍ କଲା, ଏଥର ବାବି ବଗିଚା ଭିତରକୁ ଗଲେ, ତା’ ଉଦ୍ଦେଶ୍ୟରେ, ସେ ଜାଣିପାରିବା ଫଳି ଏମିତି ଚୁମାଗୁଡ଼ାଏ ପବନରେ ଦେଇଯିବ ।

 

ଶଳା ଟୋକି ନ ରାଗି ଯିବ କୁଆଡ଼େ ?

 

ଧନିଆଁ ଖୁଁଖୁଁ କରି ହସିଉଠିଲା ।

 

ପଦ୍ମଜା ଉଷାର ବେଣୀ ବାନ୍ଧି ଦେଉଦେଉ ପଚାରିଲେ । ‘‘ଉଷା, ତୁ ଆସିଲା ବେଳେ ହେଡ଼ମାଷ୍ଟ୍ରାଣୀ କ’ଣ କହିଲେ ?

 

ଉଷା କହିଲା ହେଲେ, ତୁ ବେମାର ଅଛୁ । ଆଚ୍ଛା ବୋଉ, ମୋତେ ମିଛକହି ଏଠାକୁ ନେଇଆସିବାର କାରଣ କ’ଣ ?’’ ପଦ୍ମଜା ନୀରବ ରହିଗଲେ ।

 

ହଁ, ସେ ମିଛ ଲେଖିଛନ୍ତି ।

 

ସେ ସେଇକଥା ଉପରେ ଉଷାର ମୁହଁଟାକୁ ନିଜଆଡ଼େ ବୁଲାଇ ପଚାରିଲେ–’’ଆଚ୍ଛା, ତୁ ସବୁବେଳେ ମୋ’ ପାଖରେ ସତ କହୁଛୁ ?’’

 

ହଁ, ଯେଉଁଦିନ ସେ କାଳି ବିରାଡ଼ିଟାକୁ ବଗିଚା କୂଅରେ ପକାଇ ମିଛକହି ତୋ’ ଠାରୁ କଡ଼ା ଉପଦେଶ ଶୁଣିଥିଲି–ସେଇଦିନଠାରୁ ମୁଁ ବରାବର ତୋ’ ପାଖେ ସତ କହିଛି । ଉଷାର ଗମ୍ଭୀର ଉତ୍ତର ଶୁଣି ପଦ୍ମଜା ତାକୁ ଛାତିରେ ଟିକିଏ ଆଉଜେଇ ନେଇ ପଚାରିଲେ–ଆଚ୍ଛା, କହ ତେବେ, ବନମାଳା କିପରି ମଲା ?

 

ଏ ପ୍ରଶ୍ନରେ ଉଷା ବୋଉ ମୁହଁକୁ ଟିକିଏ ଚାହିଁ କହିଲା, ‘‘ସ୍କୁଲ ପଛ ପୁରୁଣା ଗାଡ଼ିଆରେ ସେ ପଡ଼ି ବୁଡ଼ିମଲା !’’

 

‘‘ସେ ସେଠିକି ଯିବା ତୁ ଦେଖିଛୁ ?

 

‘‘ହଁ,

 

‘‘ମନା କଲୁନାହିଁ ।’’

 

‘‘ପଦାଆଡ଼େ ଯାଉଥିବ ଭାବିଲି ।’’

 

ପଦ୍ମଜା ଟିକିଏ ନୀରବ ରହି ପୁଣି ପଚାରିଲେ–’’ଆଚ୍ଛା, ତୁ ତାକୁ ଭଲପାଉଥିଲୁ ନା ନାହିଁ-?

 

‘‘ନା । ମୋର ପୁରସ୍କାରଟା ଅନ୍ୟାୟରେ ତାକୁ ଦିଆଗଲା । ମୁଁ ସେ ପୁରସ୍କାର ପାଇଥାନ୍ତି ।’’

 

ତେବେ ତା’ର ଦୋଷ କ ଣ ?

 

ସେ କାହିଁକି ସେ ପୁରସ୍କାରଟା ରଖିଲା ?

 

ତୁ କିପରି ସେ ପୁରସ୍କାର ପାଇଥାନ୍ତୁ ?

 

‘‘ମୋ ନମ୍ବର ହିସାବରେ ଭୁଲ୍‍ ଅଛି । ବୋଉ, ତୁ ନିଜେ ଯା, ଦେଖ୍ । ମୋ ନମ୍ବର ଓ ତା’ ନମ୍ବର ଦେଖ୍ । ତା’ର ପରେ କଟାକଟି ହୋଇ ମିଶାଯାଇଛି ।

 

‘‘ତୁ ସେସବୁ ଜାଣିଲୁ କିପରି ?’’

 

ସତ କହିବାକୁ ଗଲେ, ମୁଁ ମରିଯିବି ପଛେ, କହିବି ନାହିଁ ।

 

ପଦ୍ମଜାଙ୍କ ତୀବ୍ରଦୃଷ୍ଟି ସମକ୍ଷରେ ଉଷା ଧୀରସ୍ଥିର ବସି ରହିଲା ।

 

ପଦ୍ମଜା ପୁଣି ପଚାରିଲେ–

 

‘‘ସେ ସୁନା ପଦକଟା ମିଳିଲା ?’’

 

‘‘ନା ସେଇଠୁ ମିଳିଲା ନାହିଁ ।’’

 

‘‘ବନଲତା’ ମରିବା ବିଷୟରେ ତୁ ଆଉ କ’ଣ ଜାଣୁ ?’’

 

‘‘ଆଉ କିଛି ନାହିଁ ।’’

 

ପାଖଘରୁ ଶାନ୍ତାରାଣୀ ଗୋଲାପୀ ଶାଢ଼ୀଟାଏ ପିନ୍ଧି ରାଗତମତମ ହୋଇ ପଶିଆସିଲେ-। ସେ ଏତେ ରାଗିଯାଇଥିଲେ ଯେ ସୋଫାଉପରେ କିଛିକ୍ଷଣ ନୀରବରେ ବସିରହିଲେ-। ଶାନ୍ତାରାଣୀ ବି: ଏଲ୍‍ ଓକିଲାତି କରନ୍ତି । ପ୍ରୌଢ଼ା ଓ ବେଶ୍‍ ମୋଟାମୋଟି । କହିବାକୁ ଗଲେ, ପ୍ରାୟ ପ୍ରତିଦିନ ବଙ୍କିମ ବାବୁଙ୍କ ଘରକୁ ଆସନ୍ତି–ଅଧିକାଂଶ ସମୟରେ କୌଣସି କୌଣସି ଓକିଲାତି ବଙ୍କିମ ବାବୁଙ୍କ ପରାମର୍ଶ ନେବାକୁ । ଦଶବର୍ଷ ଓକିଲାତି କରି ପୁରୁଷ ଓକିଲଙ୍କୁ ହାଡ଼ାଲ୍ କରି ରଖିଛନ୍ତି । ତାଙ୍କ ବିଷୟରେ କେହି କୌଣସି ସମାଲୋଚନା କଲେ ସ୍ଥାନାସ୍ଥାନର ବିଚାର ନ ରଖି ସେ ତା’ର ଠିକଣା ଜବାବ୍ ଦେଇଥାନ୍ତି । ପୁରୀ ସହରରେ ବହୁଲୋକ ତାଙ୍କୁ ‘‘ଲେଞ୍ଜି’’ ବୋଲି ଜାଣନ୍ତି । କାରଣ ସେ ଲଞ୍ଜାତାରା–ମହାପ୍ରଳୟ ଓ ଅମଙ୍ଗଳର ଅଗ୍ରଦୂତ । କେତେଶହ ଲେଞ୍ଜି ଯଦି ଏମିତି ଗୋଟାଏ ଗୋଟାଏ ପ୍ରଦେଶରେ ବାହାରନ୍ତି......କଳ୍ପନା ଅଟକି ଯାଏ ।

 

ଟିକିଏ ଦମ୍‍ ନେଇସାରି ଶାନ୍ତା କହିଲେ,–’’ପଦ୍ମ, ତୁ ସେ ମାଳିଟାକୁ ରଖିଛୁ କାହିଁକି କହିଲୁ ? ପଦ୍ମଜା ଟିକିଏ ଆଶ୍ୱସ୍ତ ହେଲେ ।

 

ଓଃ ସେହି ଧନିଆଁ କଥା । ଶାନ୍ତା ଅନେକଥର ପୂର୍ବରୁ ତା’ ଉପରେ ରାଗି ଏମିତି କହିଥାନ୍ତି । ପରେ ସବୁ ଭୁଲିଯାନ୍ତି ।

 

ତେଣୁ ପଦ୍ମଜା ଟିକିଏ ହସି ପଚାରିଲେ–କାଇଁ କ’ଣ ହେଲାକି ! ସେଟା ଅଭଦ୍ର । ବଡ଼ଲୋକର ଚାକର ବାକର ଟିକିଏ ଭଦ୍ରତା ଶିଖିବାର ଦରକାର । ଆଚ୍ଛା, ମୁଁ ଆସୁଥିବା ସେତ ଦେଖିଲା । ବାଡ଼ତଳୁ ଶୁଖିଲାପତ୍ର ଟୋପେଧରି ନ ଜାଣିଲା ପରି ମୋ’ ଉପରକୁ ପକାଇଦେଲା କାହିଁକି ? ତା’ ପରେ କିଛି ନ ଜାଣିଲା ପରି ହାତଯୋଡ଼ି କହୁଛି–’ସୋରି’ ‘ସୋରି’ । ମୁଁ କହିଲି–‘କିରେ ମଣିଷ ଦିଶୁନାହାନ୍ତି କି ? ମୋ ଆଡ଼େ ପଛକରି ଜବାବ୍ ଦେଉଛି ‘ଆମର ଗୋଲାପୀ ଶାଢ଼ୀ ନାହିଁ–ପିନ୍ଧିକରି ନହରପହର ହେବାକୁ । ମୁଁ ଏଠିକାମ କରିବି ନା ମଣିଷ ଦେଖି ବସିଥିବି ? .....ଶଳା ମାଈଚିଆ ।

 

ସେ ଧୀରେ ଧୀରେ ଥଣ୍ଡା ପଡ଼ିଆସୁଥିଲେ । ରୁମାଲଟାରେ ମୁହଁ ପୋଛିନେଇ ସେ ହସି ହସି କହିଲେ–’’ବୁଝିଲୁ ପଦ୍ମ, ମୁଁ ସେ ଦିଗୋଡ଼ିଆ ପଶୁ ବିଷୟରେ ତୋତେ କହିବାକୁ ଆସିନଥିଲି । ହଁ, ମୋତେ କହିଲୁ ନାହିଁ ଯେ ଉଷା ଆସିଲା କାହିଁକି ?

 

ଅନ୍ୟ କେହି ଏ ବିଷୟରେ ପ୍ରଶ୍ନକରୁ ବା ନକରୁ, ଶାନ୍ତା ଯେ ନିଶ୍ଚୟ ପଚାରିବେ, ପଦ୍ମଜା ଜାଣିଥିଲେ । ତେଣୁ ଶାନ୍ତାଙ୍କୁ କି ଉତ୍ତରଦେବେ ସେହି ବିଷୟରେ ସେ ବରାବର ଚିନ୍ତା କରୁଥିଲେ ।

 

ଶାନ୍ତାଙ୍କ ପ୍ରଶ୍ନରେ ତାଙ୍କ ରକ୍ତ କ୍ଷଣିକ ଲାଗି ଉତ୍ତେଜିତ ହୋଇଉଠିଲା । ଛାତି ଭିତରେ କ୍ଷଣିକଲାଗି ଗୋଟାଏ ଚମକ ଲାଗିଲା । କାରଣ, ଯେଉଁ ପ୍ରଶ୍ନର ଉତ୍ତର ସେ ସ୍ଥିର କରିନାହାନ୍ତି, ତାହା ତାଙ୍କୁ ଦେବାକୁ ପଡ଼ିବ ଶୀଘ୍ର, ସେଇ ସ୍ଥାନରେ ।

 

ତେବେ ସମୟ ନେବା ଉଦ୍ଦେଶ୍ୟରେ ଓ ଉଷା ଆଗରେ ଉତ୍ତର ଦେବା ଠିକ୍ ହେବ ନାହିଁ ଭାବି, ସେ କହିଲେ–’’ଉଷା, ଯା’ତ, ଅଜାଙ୍କ ଔଷଧ ଖାଇବା ସମୟ ହେଲାଣି । ତାଙ୍କ ଖଟପାଖ ଆଲମାରୀ ଉପର କାଚ ଓ ଲାଲ୍‍ ଔଷଧଟା ନେଇ ତାଙ୍କ ପାଖେ ରଖିଦେବୁ । ଶୋଇଥିଲେ, ଉଠାଇଦେବୁ ।

 

ଉଷା ବୋଉର ମୁହଁକୁ କିଛିକ୍ଷଣ ଦେଖିନିଇ ଚାଲିଗଲା । ପଦ୍ମଜା ତା’ ମୁହଁକୁ ଚାହିଁ ସୁଦ୍ଧା ପଚାରିଲେ ନାହିଁ । ଅନ୍ୟଆଡ଼େ ମୁହଁ ବୁଲେଇନେଲେ ।

 

ପଦ୍ମଜା ପାଖକୁ ଖବରକାଗଜଟା ଉଠାଇନେଇ ଧୀରେଧୀରେ ବିଞ୍ଚିହେଲେ । କ’ଣ ଉତ୍ତର ଦେବେ ଆହୁରି ଠିକ୍ କରିପାରି ନାହାନ୍ତି ।

 

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଚିଠିଟା ଦେଖାଇବେ ? ନା ନିଜ ରକ୍ତମାଂସ ଝିଅର ଭବିଷ୍ୟତ ଦୃଷ୍ଟିରୁ ସବୁ ସମସ୍ୟାର ସମାଧାନ ନିଜକୁହିଁ କରିବାକୁ ପଡ଼ିବ । ଏମିତି ବିଷୟ ସବୁ ଡେଙ୍ଗୁରା ପିଟି ବୁଲିଲେ କ୍ଷତି ଛଡ଼ା ଲାଭ ନାହିଁ କିଛି ।

 

ସେ ଶାନ୍ତାଙ୍କ ମୁହଁକୁ ଚାହିଁ ମ୍ଲାନ ହସଟିଏ ହସି କହିଲେ–’’ହଁ, ଅପା ! କହିବାକୁ ଭୁଲିଯାଇଥିଲି । ମୋର ଏ କେତେଦିନ ହେବା ଛାତିଭିତରେ ଯନ୍ତ୍ରଣା ହେଉଛି । ଉଷାରତ ନୂଆ ଟର୍ମ ଆରମ୍ଭ ହେଉଛି । କେତେଦିନ ପାଇଁ ଡ଼କାଇ ଆଣିଛି ।

 

କିଛି ଗୋଟାଏ ଉତ୍ତର ଦେଇପାରି ସେ ଟିକିଏ ଆଶ୍ଵସ୍ତା ହେଲା । ତୃପ୍ତିର ଗୋଟାଏ ନିଶ୍ଵାସ ବୁକୁ ଫୁଲାଇ ବାହାରିଆସିଲା ।

 

ନାଁ, ମୁଁ ତ ପୁରାପୁରି ମିଛ କହି ନାହିଁ–ପଦ୍ମଜା ଭାବିଲେ । ଶାନ୍ତା ପଦ୍ମଜାଙ୍କ କାନ୍ଧଉପରେ ହାତରଖି କହିଲେ–’’ପଦ୍ମ ମୁଁ ଦେଖୁଛି, ତୋ’ ମୁଁହ ଶୁଖିଯାଇଛି । କ’ଣ ଗୋଟାଏ ବିଷୟ ନେଇ ତୁ ଯେପରି ଖୁବ୍ ବିଚଳିତ ହୋଇପଡ଼ିଛୁ । କିନ୍ତୁ ଏପରି ଚିନ୍ତାକରି ଲାଭ କ’ଣ ? କିଛି ସମାଧାନ ହୋଇପାରେ ସେଥିରେ ? ତୁ ପାଠଶାଠ ପଢ଼ି ଏମିତି ହେଲେତ ଚଳିବ ନାହିଁ । ଘୋଡ଼ାଗଡ଼ିଟେ ଆଣେ ଚା’ ଟିକିଏ ବୁଲିଆସିବା ।’’

 

ସେମାନେ ଚଟି ଫଟ୍ ଫଟ୍ କରି କାନି ଉଡ଼ାଇ ଚାଲି ଯାଉଥିବା ଦେଖି ଧନିଆଁ ଦାନ୍ତ ନିକୁଟି ବାଡ଼ତଳେ ଲୁଚି ବସିପଡ଼ିଲା । ସେମାନେ ଘୋଡ଼ାଗାଡ଼ିରେ ବସିଯିବା ସଙ୍ଗେସଙ୍ଗେ ‘ଫର୍ ଫର୍’ କରି ଶଦ୍ଦଟାଏ କଲା । ପୂରା ମିନିଟିଏ । ଉଷା ଝରକାବାଟେ ଧନିଆଁର ବଦମାସୀ ଦେଖି ଟିକିଏ ହସିଦେଲା ଓ ଗୋଟାଏ ଛବିବହି ଧରି ଗଛମୂଳର ସିମେଣ୍ଟ ବେଞ୍ଚ ଉପରେ ଆସି ବସିଲା । ଧନିଆଁ କାମପତ୍ର ଛାଡ଼ି ଗଲା ତା’ ପାଖକୁ । ଗଛ ପଛଆଡ଼େ ରହି ‘ଜୁ–ଜୁ ‘ ଶଦ୍ଦ କଲା । କାମ କରିବା ବାହାନାରେ ଛାଞ୍ଚୁଣୀ ମୁଠାଏ ତଳେ ଖାଲି ଖଡ଼ର ଖଡ଼ର କରି ହଲାଉଥାଏ । କହିଲା–’’ହେ ବାବି, କାଲିରାତିରେ ସେ ବନ ବାଳିଆ ମୋ କତିକି ଆସି କହୁଥିଲା.........କହୁଥିଲା.....ହେଇ ଦେଖେ ସେଇ ରକିଟା ତମେ ତା’ ଠୁ ଆଣିଚ । ସେଇଟା ତମ ହାତବାକ୍ସରେ ନଡ଼ର ନଡ଼ର ହେଉଥିଲା । ମୁଁ ଜାଇଁଚି । ହେଲେ, ମୁଁ କା’ କୁ କହିବି ନାହିଁ । ତେମେ ତାକୁ ପାଣିରେ ଠେଲିଚ ସେ କହୁଚି । ତା’ ଭୂତ କହୁଚି । ପୁଲିସ୍ ଆସିବ, ତମକୁ ଜେଲ୍‍କୁ ନବ ।’’

 

ଧନିଆଁ ଏତକ କହି ଉଷାର ମୁହଁକୁ କଟମଟ ଅନାଇ ହସିଲା । ଉଷା ତା’ର ବିକୃତଭଙ୍ଗୀ ଦେଖି ରାଗରେ ତମ ତମ ହୋଇ; ଲାଲ୍ ପଡ଼ିଗଲା । ସେ ବଗିଚାର ଚାରିଆଡ଼େ ଆଖି ବୁଲେଇନେଲା । କେହି କେଉଁଠି ନାହାନ୍ତି । ସନ୍ଧ୍ୟା ମାଡ଼ିଆସୁଛି । କହିଲା–‘‘ଧନିଆ ମୋତେ ସେ କୂଅରୁ ପାଣି ବାଲିଟିଏ ଆଣିଦେ ।’’

 

ଧନିଆଁ କହିଲା–’’ଗାଧେଇବ ଯଦି, ଜାମାପଟା ଏଇଠି ଥୋଇଦିଅ । ଚାଲ କୂଅମୂଳେ ବସିବ, ଗାଧୋଇଦେବି ।’’

 

ଉଷା ଥରେ ତା’ ଆଡ଼କୁ ଦେଖିନେଇ କହିଲା–’’ହଉ ଚାଲ, କୂଆମୂଳକୁ ଯିବା ।’’

 

ଧନିଆଁ କୂଅଉପରେ ଠିଆହୋଇ ପାଣିଭରା ବାଲ୍‍ଟିକୁ ଲଇଁ ଲଇଁ ଧୀରେ କାଢ଼ୁଛି–ପଛରୁ ଗୋଟିଏ ଧକ୍କାରେ ସେ ଭିତରେ ପିଟିହୋଇ ପଡ଼ିଗଲା । ଗୋଟିଏ ଆର୍ତ୍ତନାଦ ଓ ବଡ଼ ଶବ୍ଦଟାଏ ଉଠିଲା । ତା’ ପରେ ସବୁ ଶୂନ୍‍ଶାନ୍‍ । କୂଅ ଭିତରେ ପାଣିଟା ଚବର ଚବର ହୋଇ ଚାରିପଟେ ବାଡ଼େଇ ହେଉଥାଏ ଓ ପାଣି ମଝିରେ ଛୋଟ ଛୋଟ ଅସଂଖ୍ୟ ଜଳବିନ୍ଦୁ, ମଧୁର ଶବ୍ଦ କରିଉଠୁଥାଏ ।

 

ଉଷା ଧୀରେ ଧୀରେ ଅନ୍ଧାରରେ ମିଶିଯାଇ ଘରଆଡ଼େ ଚାଲିଗଲା ।

 

ପଦ୍ମଜା ବୁଲିସାରି ଯେତେବେଳେ ଫେରିଲେ, ଖୁବ୍ ହାଲୁକା ମନ ଓ ଫୂର୍ତ୍ତିମିଞ୍ଜାସ ଧରି ଫେରିଥିଲେ । ସତେଯେପରି ସମୁଦ୍ରକୂଳର ହାୱାରେ ସବୁ ଅଧି ଉଡ଼ିଯାଇଛି । ଶାନ୍ତାଙ୍କ ଶାନ୍ତ ପରଶରେ ତାଙ୍କ ମନ ପ୍ରଶାନ୍ତରେ ଭରିଉଠିଛି ।

 

ଉପରମହଲାର ନିଜର ଆଲୋକିତ କୋଠରୀ ଭିତରକୁ ପଶିଯାଇ ସେ ଦେଖିଲେ, ଉଷା ତାଙ୍କର ଶେଯରେ ଶୋଇରହି ଗୋଟିଏ ଛବି ବହି ଛାତିଉପରେ ଧରି ଏକଲୟରେ ଦେଖୁଛି । ତା’ ପାଦ ଯୋଡ଼ିକ କୁଣ୍ଡୁ–ନାଶ–କଂପାନୀର ସୁ–ବିରାଟ କେଲେଣ୍ଡର ଉପରେ ଯାଇ ରଖାଯାଇଛି । ଖଟତଳେ ତାଙ୍କ ଧଳା ପୁଷି ‘ରବି’ ଡାହାଣ ଗୋଡ଼ଟାରେ ତା’ ମୁହୁଁ’ଟାକୁ ବରାବର ଘଷି ଘଷି କରି ପରିଷ୍କାର କରିବାରେ ଲାଗିଛି ।

 

ସେ ଶାନ୍ତ ଦୃଶ୍ୟରେ ପଦ୍ମଜାଙ୍କ ମନ ଅନୁଶୋଚନାରେ ଭରିଗଲା । ମା’ ହୋଇ ସେ ନିଜ ଝିଅକୁ ସନ୍ଦେହ କରିଚାଲିଥିଲେ ।

 

ସେ ବାତ୍ସଲ୍ୟର ଆବେଗରେ ଯାଇ ଉଷାକୁ ତୋଳି ନେଇ ତା’ର କଆଁଳ ଗାଲରେ ବୋକ ଦେଲେ । ଉଷା ମା, କୋଳରେ ଢଳି ପଡ଼ିଲା ସଂପୂର୍ଣ୍ଣ ଆଶ୍ରୟ ପାଇବାଲାଗି ।

 

କିଛିକ୍ଷଣ ପରେ ପଦ୍ମଜା କହିଲେ–’’ଯା’ତ ମା’ ବେହେଲାଟା ଆଣ । ଟିକିଏ ବଜାଇବା ।

 

ପଦ୍ମଜା କିଛିକ୍ଷଣ ଆନନ୍ଦରେ ବେହେଲାରେ ସୁର ଚଳାଇଲେ । ନୈଶ ଆକାଶର ଚାନ୍ଦିନୀର ଶୀତଳତା କୋଳେକୋଳେ ଖେଳିଗଲା ମାଦକତାର ଝଙ୍କାର ।

 

ତା’ପରେ ଉଷା ହାତକୁ ବେହେଲାଟି ବଢ଼ାଇଦେଇ କହିଲେ, ମେହେରଙ୍କ ‘ବିଶ୍ୱ ଜୀବନ ହେ’ ଟିକିଏ ଗାଉଥା । ମୁଁ ଲୁଗା ବଦାଳାଇ ଆସେ । –ହଁ, ଆଉ ଗୋଟିଏ କଥା କହିବାକୁ ଭୁଲିଯାଇଥିଲି । ଆମେ କାଲିସକାଳୁ ଭୁବନେଶ୍ୱର ଯାଇ ଲିଙ୍ଗରାଜ ମନ୍ଦିର, କେଦାରଗୌରୀ, ନୂଆ ରାଜଧାନୀ, ମ୍ୟୁଜିୟମ୍, ଏରୋଡ୍ରମ ସବୁ ଦେଖି ଆସିବା । ସନ୍ଧ୍ୟାଗାଡ଼ିରେ ଏଠାକୁ ଫେରିଆସିବା ।

 

ଉଷା ଏ ସୁନ୍ଦର ପ୍ରସ୍ତାବରେ ସବୁ ପଛକଥା ଭୁଲିଯାଇ ସ୍ନେହମୟୀ ଜନନୀର ବେକକୁ କୁଣ୍ଢାଇ ଧରି ଆନନ୍ଦରେ କହିଲା–‘‘ହଁ, ବୋଉ ଚାଲେ ଟିକେ ବୁଲି ଆସିବା । ତା’ର ଦୂଷିତ ଆତ୍ମା ସେଠାରୁ ତାକୁ ନେଇଯିବାକୁ ଚାହୁଁଥିଲା ।

 

ପଦ୍ମଜା ତା’ ମୁହଁରେ ନିଜ ମୁହଁରେ ଥିବାପରି ବାମଗଣ୍ଡର, କଳାଜାଈଟି ଦେଖି ମୁଗ୍ଧ ହୋଇଗଲେ । ଉଷା ହାତରେ ବେହେଲାଟି ଦେଇ ଉଠିଗଲେ । ଉଠିଯିବା ସମୟରେ ଉଷା ଆଗରୁ ଧରିଥିବା ଚିତ୍ର ବହିଟି ଉପରେ ନଜର ପଡ଼ିଲା ।

 

ସେଥିରେ ଗୋଟିଏ ବୁଢ଼ା ଓ ଗୋଟିଏ ବୁଢ଼ା ଗଧର ଛୋଟ ଗପଟିଏ ଚିତ୍ର ମାଧ୍ୟମରେ ପିଲାମାନଙ୍କୁ ବୁଝାଇ ଦିଆଯାଇଥାଏ ।

 

ପ୍ରଥମ ଚିତ୍ର–ଗଧ ଉପରେ ଲଦନ ନେଇ ବୁଢ଼ା ହାଟକରି ବାହାରିଛି ହସି ହସି ।

 

୨ୟ ଚିତ୍ର–ଗୋଟିଏ ଠେଙ୍ଗାରେ ଗଧଟାକୁ ପିଟାଯାଇଛି ଓ ଗଧଟା କଣେଇ କରି ଦାନ୍ତ ଟିକିଏ ନିକୁଟେଇ ଦେଇଛି ଦୁଷ୍ଟାମିରେ ।

 

୩ୟ ଚିତ୍ର–ବୁଢ଼ା ଗଛମୂଳେ ବସି ଆରାମରେ ପିକା ଖାଇବାବେଳେ ବୁଢ଼ାକୁ ଶକ୍ତ ଲାତଟାଏ ବାଜିଛି । କେଉଁଆଡ଼ୁ ତା’ ଉପରେ ରାଧା–ଚଡ଼କ ପଡ଼ିଲା, ଜାଣିବା ଆଗରୁ ତା’, ଟୋପି ଉଡ଼ିଗଲା, ନଙ୍ଗଳପିକାଟା ଅଧାହୋଇ ଛିଣ୍ଡିପଡ଼ିଲା । ମୂଳରୁ ଗଡ଼େ ପାଖରେ ଲାଖି ରହିଲା, ବୁଢ଼ା ଦଣ୍ଡେ ଗୁମ୍‍ମାରି ବସିଗଲା । ଲାତଟା ଆଣ୍ଟୁ ଓ ଥୋଡ଼ିରେ ବସିବାରୁ ରକ୍ଷା ହୋଇଛି । ନୋହିଲେ ଖପୁରୀ ଉଡ଼ିଯାଇଥାନ୍ତା । ଏଇ ଭାବ ।

 

୪ର୍ଥ ଚିତ୍ର–ଗଧର ହିଁ ହିଁ, ଶବ୍ଦ ଶୁଣି ତା’ର ଚେତା ଆସିଲା । ସେ ଉଠି ଲଦନ ଉପରେ ବସି ଗଧକୁ ବାଡ଼େଇ ବାଡ଼େଇ ଚଲେଇବାକୁ ଲାଗିଲା । କିଛି ବାଟ ଯିବାପରେ ସୂର୍ଯ୍ୟାସ୍ତ ହେବାରୁ ଗଧକୁ ହାଲିଆ ଲାଗିଲା ଓ ସେ ରାସ୍ତାଉପରେ ଦଣ୍ଡେ ଠିଆହୋଇ ଢୋଳେଇଲା । ବୁଢ଼ା ସେତକ ବି ସହିପାରିଲା ନାହିଁ । ତାକୁ ଚାରିପାଞ୍ଚ ଠେଙ୍ଗା ବସେଇ ଦେଲା । ବୁଢ଼ା ଗଧ ପୁଣିଥରେ ଦୁଷ୍ଟାମିର ହସି ହସି ଦେଇ ଚାଲିଲା ନିକଟବର୍ତ୍ତୀ ଗ୍ରାମକୁ ।

 

ପଞ୍ଚମ ଚିତ୍ର–ଗଧ ଚାଲିବାରୁ ବୁଢ଼ାକୁ ମଧ୍ୟ ନାହିଁ ନଥିବା ନିଦ ଘୋଟି ଆସିଲା । ଶକ୍ତଲାତ ଖାଇବାପରେ ସନ୍ଧ୍ୟାର ଥଣ୍ଡାପବନଟା ତାକୁ ବଡ଼ ସୁଆଦିଆ ଲାଗିଲା । ସେ ଗଧ ବେକକୁ କୁଣ୍ଢାଇ ଧରି ଟିକିଏ ଘୁମେଇପଡ଼ିଲା ତା’ ପିଠିଉପରେ ।

 

ଷଷ୍ଠଚିତ୍ରରେ ଅଛି–ସେ ଗାଁର ଏ ମୁଣ୍ଡରେ ଗୋଟିଏ କେନାଲ ଯାଇଛି । ଲୋକେ ଏପଟେ ଯିବାଆସିବାର ସୁବିଧାଲାଗି ଚାରଟି ଲମ୍ବଲମ୍ବ କାଠ ପକାଇ ତା’ ଉପରେ ପକାଇଥାନ୍ତି ଖଣ୍ଡେ ବାଉଁଶର ତାଟି ଓ ତା’ ଉପରେ ଚାଖଣ୍ଡେ ଉଚ୍ଚରେ ମାଟି ପକାଇଥାନ୍ତି । ଗଧ ସେ ମଝିରେ ଠିଆହୋଇ ତା’ କରାମତିଟା ଦେଖାଇବ ବୋଲି ଭାବିଲା । ବୁଢ଼ା ଘୁଙ୍ଗୁଡ଼ି ମାରୁଥାଏ । ସେ ଆଗଗୋଡ଼ ଦିଟାରେ କୁଦାମାରି ମାରି ନିଜ ଦେହଟାକୁ ଖୁବ୍ ଜୋରରେ ଝଙ୍କାଝଙ୍କି କରିଦେଲା । ବିଚାରା ବୁଢ଼ା ଓ ତା’ ପଛେ ପଛେ ଲଦନ ସବୁ କେନାଲ୍ ପାଣି ଭିତରେ ଭୂଷ୍ ଭୁଷ୍ କରି ପଡ଼ିଗଲେ-। ତା’ପରେ–ଗଧ ହସିହସି ଚାଲିଯାଉଛି ଚରିବା ପାଇଁ ।

 

ବହି ଶେଷରେ କେବଳ ବଡ଼ ବଡ ଅକ୍ଷରରେ ଲେଖା ଯାଇଛି–

 

ପଶୁମାନଙ୍କୁ ଦୟାକର

 

ତେବେ, ଉଷା ବୟସର ଯେ କୌଣସି ପୁଅଝିଅ ସେ ବହିଟି ଦେଖିଲେ ହସି ହସି ଗଡ଼ିଯାନ୍ତି । ପଦ୍ମଜା କିନ୍ତୁ ଭାବିଲେ–ତାଙ୍କ ଝିଅ ‘ଯେ କୌଣସି’ ପୁଅଝିଅ ନୁହେଁ । କାଲିଠାରୁ ତା’ ପଢ଼ାପଢ଼ିର ଭାର ସେ ନିଜେ ନେବେ ଓ ତା’ ଆରମ୍ଭ ହେବ ଭୁବନେଶ୍ଵର ପରିଭ୍ରମଣରେ ।

 

ତା’ପରେ ସେ ଚାଲିଗଲେ ଆର ଘରକୁ ଯେଉଁଠି ପ୍ରସାଧନର ସମସ୍ତ ସାମଗ୍ରୀ ଥିଲା। ସେ ପୋଷାକପତ୍ର ବଦଳାଇ ନିଜଟେବୁଲର ସେହିପଟେ ବସିଗଲେ, ଯାହାର ବିପରୀତ ଦିଗ କାନ୍ଥ ଉପରେ ଥିଲା ଛାତିଏ ଉଚ୍ଚର ବଡ଼ ଦର୍ପଣଟା ।

 

‘ଡ୍ର’ ଖୋଳି ସେ ଗୋଟାଏ ଚିଠି କାଢ଼ି ଆଖି ଆଗରେ ରଖିଲେ । ସ୍ଵାମୀଙ୍କ ପାଖକୁ ୯ ତାରିଖର ପତ୍ର–

 

ପୁରୀ

୯ । ୯ । ୫୮

ହୃଦୟର,

ମୁଁ ଭଲ ଅଛି । ଉଷା ଆସିଛି । ଗୋଟିଏ ଅପ୍ରୀତିକର କିଛି ଘଟିଛି ବୋଲି ମନେହୁଏ । ପ୍ରଧାନ ଶିକ୍ଷୟତ୍ରୀ ଚିଠି ୟା’ ସହ ପଠାଉଛି, ପଢ଼ିବ। ଚଞ୍ଚଳାଙ୍କ ମୃତ୍ୟୁପରେ ସମସ୍ତ ସନ୍ଦେହର କେନ୍ଦ୍ର ହେଲାପରି, ଉଷାର ଅତି ସେପରି ଅବସ୍ଥା ତା’ ସ୍କୁଲରେ ହୋଇଛି । ମୁଁ ଏ ବିଷୟରେ ଦିନରାତି ଚିନ୍ତା କରୁଛି, ଥଳକୂଳ ପାଇନି । ଶାନ୍ତାଦେବୀ ମଧ୍ୟ ମୋର ଚିନ୍ତା କରିବା ନେଇ ଅନେକଥର ପଚାରିଲେଣି । ସେ ମୋର ଚିନ୍ତିତ ଅବସ୍ଥା ପୂରାଭାବେ ଲକ୍ଷ୍ୟ କରିସାରିଲେଣି । ମୁଁ ନିଃସହାୟ ମଣୁଛି । ତୁମେ ଆସି ମୋତେ ବୁଝେଇଦେଇ ଯାଅ ଯେ ମୋର ଏସବୁ ଏତେ ଭାବିବା ଅକାରଣ ।

ଅସଂପୂର୍ଣ୍ଣ ଚିଠି । ସେ ସେଇଟାକୁ ଚିରିଦେଲେ । ତାଙ୍କ ମୁଖଭଙ୍ଗୀରୁ ଜଣାଗଲା, ସତେ ଯେପରି ପୂର୍ବର ଦୁର୍ବଳତା ତାଙ୍କ ଉପହାସର ବିଷୟ ବସ୍ତୁ ହୋଇସାରିଛି ।

ସେ ନୂଆ କାଗଜରେ ଲେଖିବସିଲେ–

ପୁରୀ

୧୧ । ୯ । ୫୮

ହୃଦୟର,

ମୁଁ ଭଲ ଅଛି । ଦି ଦିନ ପାଇଁ ଉଷାକୁ ଆଣିଛି । ପରୀକ୍ଷା ସରିଛିତ, ଦି’ ଦିନ ବୁଲିଯାଉ । ଆମେ କାଲି ଭୁବନେଶ୍ୱର ଯିବୁ । ଉଷାକୁ ସେଠାର ସବୁ ଦେଖଇଆଣିବି ଭାବୁଛି । ଉଷାର ପୋଗ୍ରେସ୍ ନେଇ ଏଇ ୧୫ ତାରିଖ ଦିନ ହେଡ଼ମିଷ୍ଟ୍ରେସଙ୍କୁ ଦେଖାକରିବି, ଭାବୁଛି । ଆସନ୍ତା ଟର୍ମରେ ନୋହିଲେ କିଛି ଵ୍ୟବସ୍ଥା କରିବାକୁ ପଡ଼ିବ ।

 

ପଦ୍ମଜା ଆନନ୍ଦମନରେ ଲେଖିବାକୁ ଲାଗିଲେ । ପରିଷ୍କାର ମନର ଚିଠି । ଯାହା ସ୍ଥାନେସ୍ଥାନେ ବିରହ ବିଧୁର ମଧ୍ୟ ହୋଇ ଉଠି କରୁଣରେ ବିଳାପ ତୋଳୁଥିଲା ।

 

ନିଥର ରଜନୀର କୌମୁଦୀଚର୍ଚ୍ଚିତ ବକ୍ଷଉପରେ ଉଷା କଣ୍ଠ ଓ ଯନ୍ତ୍ରଝଙ୍କାର ପୀୟୂଷର ତରଙ୍ଗ ସୃଷ୍ଟି କରୁଥିଲା ।

 

ଭୁବନେଶ୍ୱରରୁ ହାଲକା–ମନରେ ଫେରି ପଦ୍ମଜା ହଠାତ୍ ଶୁଣିବାକୁ ପାଇଲେ ଧନିଆଁର ଶୋଚନୀୟ ମୃତ୍ୟୁ ଖବର । ଧନିଆଁ ଯେଉଁ ରାତିରେ ମରିଗଲା, ସେଇ ଭୋରରୁ ପଦ୍ମଜା ଉଷା ସଙ୍ଗେ ଏକ୍ସପ୍ରେସ୍ ଯୋଗେ ଭୁବନେଶ୍ୱର ଚାଲିଯାଇଥିଲେ । ଧନିଆଁ ବିଷୟରେ ସେତେବେଳେ ଆଉ ଜାଣିବା ତାଙ୍କ ପକ୍ଷରେ ସମ୍ଭବପର ନଥିଲା । କାରଣ, ଧନିଆଁର ମୃତ୍ୟୁ ବିଷୟ ସଂସାର ଭିତରେ ଜଣେ କେବଳ ଜାଣିଥିଲା ।

 

ପବିତ୍ର ଭୁବନେଶ୍ୱରର ଚାରିଆଡ଼େ ବୁଲାବୁଲି କରି ପ୍ରଫୁଲ୍ଲ ମନରେ ପଦ୍ମଜା ଫେରିଥିଲେ । ସେଠାରେ ନାନା ବିଷୟ ଜାଣିବା ଲାଗି ଉଷାର ଆଗ୍ରହ ଦେଖି ସେ ଅତ୍ୟନ୍ତ ସୁଖୀ ହୋଇଥିଲେ ଓ ନିଜ ରକ୍ତମାଂସଗଢ଼ା ଝିଅକୁ ସନ୍ଦେହ କରିଥିବାରୁ ସେ ବାରମ୍ବାର ନିଜକୁ ଧିକ୍କାର କରିଥିଲେ । ମନର ସକଳ ଆବିଳତା ଯେପରି ସେ ପୂଣ୍ୟଭୂମିର ଜଳବାୟୁ ସ୍ପର୍ଶରେ ପରିଷ୍କୃତ ହୋଇଯାଇଥିଲା ।

 

ଘରକୁ ଫେରିବାପରେ ବୃଦ୍ଧମାଳିଟିର ଶୋଚନୀୟ ମୃତ୍ୟୁ, ସବାଦାତୀଙ୍କୁ ସାମୟିକ ବିଚଳିତ କରିଦେଇଥିଲା । ଦୁଃଖୀ ବୃଦ୍ଧ ମାଳିଟିର ମୃତ୍ୟୁରେ ସେ ବ୍ୟଥିତ ହୋଇପଡ଼ିଲେ । ସଙ୍ଗେସଙ୍ଗେ ରିକ୍ସାଟିଏ କରି ସେ ଚେଙ୍ଗ ପାଖକୁ ଗଲେ । ଚେଙ୍ଗର ଅବସ୍ଥା ଦେଖି ସେ ମଧ୍ୟ କାନ୍ଦିପକାଇଲେ । ତାକୁ ନାନା ପ୍ରବୋଧ ଦେଇ ଧୈର୍ଯ୍ୟ ଧରି ରହିବାକୁ ଉପଦେଶ ଦେଲେ । ସେଠାରୁ ଫେରିବାପୂର୍ବରୁ ଚେଙ୍ଗହାତରେ ଦଶଟି ଟଙ୍କା ଦେଇ କହିଲେ, ‘‘ଚେଙ୍ଗ, ମୁଁ ପ୍ରତିମାସରେ ତୁ ବଞ୍ଚିଥିବା ଯାଏ, ଏତିକି ଦେଉଥିବି । ଆଉ କ’ଣ ଅଭାବ ଅସୁବିଧା ପଡ଼ିଲେ ମୋତେ ଜଣେଇବୁ-।’’

 

ଆଖିରୁ ଲୁହ ପୋଛି ସେ ଫେରିଆସିଲେ ଘରକୁ ।

 

ଘରକୁ ଆସି ତୁଣ୍ଡୁ–ନାଶ–କଂପାନୀର ବିରାଟ କ୍ୟାଲେଣ୍ଡର ଉପରେ ପଦ୍ମଜାଙ୍କ ଆଖି ପଡ଼ିଲା... ଦୁଇଦିନ ଛାଡ଼ି କଟକ ଯିବାକୁ ପଡ଼ିବ, ଗାର୍ଲସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଚିଠିଅନୁଯାୟୀ-। ଉଷାର ଭବିଷ୍ୟତ ସମ୍ବନ୍ଧରେ–ବନମାଳାର ପ୍ରହେଳିକାପୂର୍ଣ୍ଣ ମୃତ୍ୟୁ ସମ୍ବନ୍ଧରେ ଆଲୋଚନା ହେବ-। ନିଜ ଅଜଣାରେ ଛାତିଭିତରେ କେଉଁଠି କେଉଁ ବ୍ୟଥା ଯେପରି ଟକ୍ ଟକ୍ କରିଉଠିଲା-

 

ପୁରୁଣା ଘା’ର ଚିହ୍ନ ଅତୀତ ବ୍ୟଥା କିଛି ସମୟ ଲାଗି ମନ ପକାଇ ଦିଏ ।

 

ସକାଳ ଗାଡ଼ିରେ କଟକ ଯିବାକଥା । ପଦ୍ମଜା ଗାଧୁଆ ପାଧୁଆ ସାରି ନିଜକୁ ସଜାଡ଼ିନେଲେ ।

 

ସେ ଭାବୁଥିଲେ–

 

ଉଷା ବିରୁଦ୍ଧରେ ପଦେକଥା ସେ ବରଦାସ୍ତ କରିବେ ନାହିଁ । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ରୋକ୍ଠୋକ୍ ଜବାବ୍ ଦେଇ ସେ ଉଷାର ଟ୍ରାନ୍ସଫର୍ ସାର୍ଟିଫିକେଟ୍ ଧରି ଚାଲିଆସିବେ । ପ୍ରମାଣ ନ ପାଇଲେ ସେ କିଛିସୁଦ୍ଧା…..

 

ପଦ୍ମଜା ନିଜ ଜିନିଷପତ୍ର ସଜାଡ଼ି ସାରିଥିଲେ । ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଲା ଉଷାର ବାକ୍ସ ଉପରେ । ବାକ୍ସଟା ଖୋଲା । ଉଷା ଚାବି ପକାଇବାକୁ ଭୁଲିଯାଇଛି । ରେଳଯାତ୍ରାପରେ କ୍ଳାନ୍ତହୋଇ ସେ ଆରଘରେ ତାଙ୍କ ଶେଯରେ ଶୋଇପଡ଼ିଛି ।

 

ପଦ୍ମଜା ଟିକିଏ ମଜାକରିବା ଉଦ୍ଦେଶ୍ୟରେ ସେହି ବାକ୍ସ ନିକଟକୁ ଗଲେ । ବାକ୍ସଟି ଖୋଲି ଉଷାର ଛୋଟ ଟଏଲେଟ୍ ପେଡ଼ିଟିଉପରେ ଥୁଆ ହୋଇଥିବା ଦେଖିଲେ ପାଉଡ଼ର, ସ୍ନୋ, ବାସନା ତେଲ, ଛୋଟ ଆଇନାଟିଏ, ପାନିଆ–ସବୁ ଯଥାସ୍ଥାନରେ ଖୋପଗୁଡ଼ିକରେ ଖଞ୍ଜାଯାଇଛି ! ଛୋଟ ଆଇନାଟି ଠିକ୍ ଭାବେ ନିଜସ୍ଥାନରେ ନରହି ଟିକିଏ ତେଢ଼େଇ ଯାଇଛି । ପଦ୍ମଜା ତାକୁ ଠିକ୍ କରି ଖଞ୍ଜିଦେବାକୁ ଚେଷ୍ଟା କଲେ । ହେଲା ନାହିଁ । ତା’ ତଳେ କ’ଣ ରହିଯାଇଥିବ ପରା ! ସେ ଧୀରେଧୀରେ ଆଇନାଟାକୁ ଉଠାଇଆଣିଲେ । ତଳ ନୀଳ ମଖମଲ କନାଟି ଗୋଟିଏ କଡ଼ରେ ଫୁଲିଯାଇଛି । ସେଇଟା ବୋଧହୁଏ ସବୁ ଗୋଳମାଳର କାରଣ । ସେଇ ଫୁଲାଜାଗାଟାକୁ ସେ ଆଙ୍ଗୁଠି ସାହାଯ୍ୟରେ ଚିକ୍କଣ କରିବାକୁ ଟିପଦେଲେ । ତା’ ତଳେ କ’ଣ ଜିନିଷଟାଏ ରହିଛି ।

 

ଟଙ୍କାଟାଏ ନା କ’ଣ ? ଟଙ୍କା ! ଟଙ୍କା ସେଇଠି କାହିଁକି ରଖାଯାଇଛି ! ମନିବ୍ୟାଗ ତ ଅଛି । ତେବେ ! ସେଇଟା କ’ଣ ?

 

ପଦ୍ମଜା ନିରୀକ୍ଷଣ କଲେ । ମଖମଲ କନାଟି ବ୍ଲେଡ଼ରେ ସେଇ ପାଖରେ କଟାଯାଇ ପଶି ଅଠାରେ ବନ୍ଦ କରିଦିଆଯାଇଛି । ତାଙ୍କର ଗୋଟିଏ ଅହେତୁକ ଆଗ୍ରହ ବଢ଼ିଉଠିଲା ।

 

ସେ ଉଠିଯାଇ ଗୋଟିଏ ବ୍ଲେଡ଼୍ ଆଣି ଧୀରେ ଧୀରେ ସେହି ସ୍ଥାନରେ କନାଟିକୁ କାଟିବାକୁ ଲାଗିଲେ । ଭିତରୁ ବାହାରିଲା ଗୋଟିଏ ପଦକ; ଯାହା ଉପରେ ଇଂରାଜୀରେ ଲେଖାଯାଇଥିଲା…

 

ମଝିରେ କ’ଣ ଲେଖାଯାଇଥିଲା, ତାହା କୌଣସି ଅସ୍ତ୍ର ସାହାଯ୍ୟରେ ଘୋରାଯାଇ ଲିଭେଇ ଦିଆଯାଇଛି ।

 

ସେଇ ସ୍ୱର୍ଣ୍ଣପଦକଟି ହାତପାପୁଲି ଉପରେ ଧରି ପଦ୍ମଜା ବୋଧକଲେ ତାଙ୍କର ସମସ୍ତ ଜୀବନୀ ଶକ୍ତି ଯେପରି ଲୋପ ପାଇଯାଇଛି । ତାଙ୍କର ରକ୍ତର ଗତି ଯେପରି ମୂହୁର୍ତ୍ତକ ଲାଗି ବନ୍ଦ ହୋଇଗଲା । ସେ ସେତେବେଳେ କିଛିସୁଦ୍ଧା ଭାବିପାରିଲେ ନାହିଁ ଶୁଣିପାରିଲେ ନାହିଁ, ଦେଖିପାରିଲେ ନାହିଁ କି କହିପାରିଲେ ନାହିଁ I

 

ହାତ ପାପୁଲିରୁ ସୁନାର ପଦକଟି ଯେତେବେଳେ ଖସିପଡ଼ି ଉପରେପଡ଼ି ଶବ୍ଦ ହେଲା, ସେ ପ୍ରକୃତିସ୍ଥା ହେଲେ I

 

ଉଷା ତାଙ୍କୁ କଞ୍ଚାମିଛ କହିଛି I ତାଙ୍କ ନିଜଝିଅ ତାଙ୍କୁ, ବିଶ୍ୱାସ କରିନାହିଁ I ଉଷା ବନମାଳାକୁ ହତ୍ୟା କରିଛି ।

 

ସେ କ୍ରୋଧରେ ଅନ୍ଧ ହୋଇଗଲେ । ମୁଣ୍ଡ ଭିତରେ ସେ ଯେପରି ଅନୁଭବ କଲେ–ସମସ୍ତ ରକ୍ତ ଟକ୍ ମକ୍ ହୋଇ ଫୁଟୁଛି I ହାତରେ ପଦକଟା ମୁଠେଇ ଧରି ସେ ଉତ୍‍କ୍ଷିପ୍ତା ହୋଇ ଦୌଡ଼ିଗଲେ ଆରଘରକୁ I

 

ଉଷାର ମୃତ୍ୟୁ ହିଁ ତାଙ୍କର.....

 

ଶେଯଉପରେ ନିଃସହାୟ ଭାବେ ଶୋଇଥିବା ବାଳିକାଟିର ମୁହଁକୁ ଦେଖି ତାଙ୍କର ଚେତନା ଫେରିଆସିଲା ।

 

କ’ଣ ? କ’ଣ ସେ କରିବାକୁ ଯାଉଛନ୍ତି ? ଉଷା ବନମାଳାକୁ ହତ୍ୟା କରିଛି, ତା’ର ପ୍ରମାଣ କ’ଣ I ତା’ର ପ୍ରମାଣ କ’ଣ ଏଇ ପଦକ । ଅସମ୍ଭବ ! ମୃତ ବନମାଳାର ପଦକ ଉଷା ନିକଟକୁ ଯେ କୌଣସି ଉପାୟରେ ଆସିଥାଇପାରେ । ତା’ ବୋଲି ଉଷା ବନମାଳାକୁ ହତ୍ୟା କଲା କିପରି !

 

ସେ ସମ୍ପୂର୍ଣ୍ଣ ପ୍ରକୃତିସ୍ଥା ହୋଇସାରିଥିଲେ ।

 

ଦୀର୍ଘ ନିଶ୍ୱାସ ପକାଇ ସେ ସେଠାରୁ ଧୀରେ ଧୀରେ ଚାଲିଆସିଲେ ।

 

ଉଷାର ବାକ୍ସ ଯଥାସମ୍ଭବ ସଜାଡ଼ିଦେଇ ବନ୍ଦ କରିଦେଲେ ।

 

ପଦକଟି ନିଜ ହାତବ୍ୟାଗ୍‍ର ଗୋଟିଏ କୋଣକୁ ପୁରାଇରଖି ତା’ଉପରେ ଛୋଟ ମନିବ୍ୟାଗ୍ ଓ ରୁମାଲ୍‍ ଦୁଇଟି ରଖିଦେଲେ ।

 

କାନ୍ଥଘଣ୍ଟା ଆଠଥର ପିଟିହୋଇ ସମୟ କହିଦେଲା । ଗାଡ଼ି ସମୟ ହୋଇଯାଇଛି । ଗୋଟିଏ ଘୋଡ଼ାଗାଡ଼ି ରାସ୍ତା ଉପରେ ଚାଲିଯାଉଥିଲା । ପଦ୍ମଜା ସେଇଟାକୁ ଡକେଇ ପଠେଇ ସେଥିରେ ଉଠି ଚାଲିଗଲେ ।

 

ଗାଡ଼ି ଭିତରେ ବସିରହି ପଦ୍ମଜ ଆକାଶପାତାଳ ଭାବିଗଲେ । ଉଷା ପଦକ ପାଇଲା କିପରି ? ସେଇଟା ତା’ ଟଏଲେଟ ପେଡ଼ି ଭିତରେ ଏତେ ସାବଧାନତା ସହ ରଖାଯାଇଥିଲା ବା କାହିଁକି ? ସେ ତ ଆଗରୁ ସେ ପଦକ ବିଷୟରେ କିଛି ଜାଣେନା ବୋଲି କହିଥିଲା । ପରେ ଯଦି ପାଇଲା, ତେବେ ତା’ର ମା’କୁ ନ କହିଲା ବା କାହିଁକି ? ନା’ ନିଶ୍ଚିୟ ୟା’ ପଛରେ କିଛି ଅଭିସନ୍ଧି ଅଛି । ବନମାଳାର ମୃତ୍ୟୁପଛରେ ଉଷାର ହାତ ନିଶ୍ଚୟ ଅଛି ।

 

ତାଙ୍କ ଦେହରେ ଶୀତକଣ୍ଟା ଫୁଟିଉଠିଲା ।

 

ଓଃ, ନିଜଝିଅ ଉଷା ମଧ୍ୟ ତାଙ୍କୁ ଅବିଶ୍ୱାସ କଲା !

 

ଏଇ କଥାଟା ତାଙ୍କ କାନପାଖେ ବାରମ୍ବାର ପ୍ରତିଧ୍ୱନିତ ହୋଇ କାନ ଦି’ଟା ଗରମ ହୋଇଗଲା । ଭାବିଲେ–

 

ଆଉ କଟକ ଯାଇ ଲାଭ କ’ଣ ? ସେ ସବୁ ଜାଣିପାରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହ ଠିକ୍ । ଉଷାର ଜନନୀ ହୋଇ ସେ ଆଉ ତାଙ୍କପାଖେ ମୁହଁ ଦେଖାଇପାରିବେ ନାହିଁ ।

 

ପୁଣି......

 

ଉଷା–ତାଙ୍କ ଆଗରେ ଲଙ୍ଗଳା ପିଲା । ସେ ଯେ ପଦକଟାଏ ଲାଗି ଜଣକୁ ମାରିଦେଇପାରେ.....

 

ମା’ ମନ ତାହା ସହଜରେ ମାନିନେବାକୁ ପ୍ରସ୍ତୁତ ମଧ୍ୟ ନୁହେଁ ।

 

ଗଭୀର ଦ୍ଵନ୍ଦ୍ଵରେ ପଦ୍ମଜା ପଡ଼ି ଛଟପଟ ହେବାକୁ ଲାଗିଲେ ।

 

ଗାଡ଼ି କଦମ୍ ଗତିରେ ଷ୍ଟେସନ୍‍ଆଡ଼େ ଚାଲିଥାଏ ।

 

ମାତୃତ୍ଵ ଜାଗିଉଠି ତାଙ୍କୁ ଯେପରି କହିଲ–

 

ଉଷା ବିପନ୍ନ ! ତାଙ୍କର ଝିଅ ସେ । ନିଜର ରକ୍ତମାଂସରେ ଗଢ଼ା ।

 

ମାତା ହୋଇ ନିଜ ସନ୍ତାନକୁ ସେ ରକ୍ଷାକରିବେ । ଅବଶ୍ୟ ରକ୍ଷା କରିବେ । ଅବଶ୍ୟ, ଅବଶ୍ୟ । ଯଦି ଦରକାର ପଡ଼େ, ସେ ସେଥିପାଇଁ ଯେ କୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ–ଏପରି କି ଯମଦଣ୍ଡ ମଧ୍ୟ ।

 

ଉଷା ବାଳିକା ମାତ୍ର । ତା’ର ଦୀର୍ଘ ଜୀବନ ଅଛି, ଭବିଷ୍ୟତ ଅଛି ।

 

ସେଥିଲାଗି ତା’ର ସମ୍ମାନ ବଜାୟ ରଖିବାକୁ ପଡ଼ିବ ।

 

ନିଜର ଅଜ୍ଞାନ ବାଳିକା ଯଦି କିଛି କରିପକାଇଥାଏ, ସେଥିପାଇଁ ତାକୁ ଶହେବାର, ହଜାରେ ବାର କ୍ଷମା କରିବେ । ସେ ଜନନୀ, ସର୍ବାଂସହା, ମାଆ...

 

‘‘ମା’’–କଚୁଅନ୍ ଡ଼ାକିଲା–’’ଓହ୍ଲାଇଯାନ୍ତୁ । ଗାଡ଼ି ଛିଡ଼ାହେଲାଣି ଲାଇନ୍‍ରେ ।’’

 

ପଦ୍ମଜା ନିଜଭିତରକୁ ଫେରିଆସି ଓହ୍ଲେଇପଡ଼ିଲେ । ଷ୍ଟେସନ୍‍ ଆସିଯାଇଥିଲା । ଘୋଡ଼ାଗାଡ଼ିର ପ୍ରାପ୍ୟ ଦେଇ ସେ ବୁକିଂ ଅଫିସ୍‍ ଆଡ଼େ ଚାଲିଗଲେ ।

 

ପଦ୍ମଜା ଶହୀଦ୍ ପାର୍କରେ ପହଞ୍ଚିଲାବେଳକୁ ଆସନ୍ନ–ସନ୍ଧ୍ୟା । ସୁଦୂର ଦିଗ୍‍ବଳୟ ତଳେ ଦିବସର ମ୍ଲାନମୂର୍ତ୍ତି ଧୀରେ ଅପସରି ଯାଉଛି କାଠଯୋଡ଼ିର ତରଳ ଲପନରେ ଛାଇଦେଇ ସ୍ନେହ–ଅରୁଣିମା–ରଞ୍ଜିତ ଚୁମ୍ୱନର ପ୍ଲାବନ ।

 

କଟକ ନଗରୀର ପ୍ରତି ଅନ୍ଧିସନ୍ଧି ଆଲୋକିତ କରି ଜଳିଉଠିଲା ମାଳାକାର ଅସଂଖ୍ୟ ପ୍ରଦୀପ । ବହୁଦୂରରୁ ତାହା ଦେଖାଯାଉଥିଲା, ଯେପରି ନଗରୀ ସ୍ଵର୍ଣ୍ଣମାଳା ପରିଧାନ କରି ରଜନୀରାଣୀର ଅଭ୍ୟର୍ଥନା ଲାଗି ସଜ୍ଜିତ ହୋଇସାରିଲାଣି ।

 

ଏହି ଆଲୋକ ଓ ଅନ୍ଧକାରର ମଧ୍ୟସ୍ଥଳରେ ପଦ୍ମଜାଙ୍କ ରିକ୍ସା ଶହୀଦ୍ ପାର୍କର ଫାଟକ ଆଗରେ ଆସି ଠିଆହେଲା ।

 

ଠିକ୍ ସଙ୍ଗେସଙ୍ଗେ ଜଣେ ପ୍ରୌଢ଼ା ହସିହସି ଚାଲିଆସିଲେ । ସଧବା । ଦେହରେ ନୀଳଶାଢ଼ୀ ଓ ଆଖିରେ ଚଷମା ।

 

‘‘ଆପଣ, ପଦ୍ମଜା ଦେବୀ ! ନମସ୍କାର,’’

 

ପଦ୍ମଜା ହସିଦେଇ ଶୁଭ୍ରାଦେବୀଙ୍କୁ ପ୍ରତି ନମସ୍କାର ଜଣାଇଲେ ।

 

ଏତେ ସୁନ୍ଦର ସମ୍ଭାଷଣ ସେ ଆଶା କରିନଥିଲେ । ତେଣୁ ସେ ସବୁ ଭୁଲିଗଲେ । ସେଇ ସୁନ୍ଦର ପରିବେଶ ମଧ୍ୟରେ ମନ ତାଙ୍କର କ୍ଷଣିକ ଲାଗି ପ୍ରଫୁଲ୍ଲ ହୋଇଉଠିଲା ।

 

ସେ ଦୁହେଁ ନାନାପ୍ରକାର ଦୁଃଖସୁଖ ହୋଇ ପାର୍କ ଭିତରକୁ ଚାଲିଗଲେ । କିଛି ସମୟପରେ ଦୁହେଁ ଯାଇ ଗୋଟିଏ ନିଭୃତ କୋଣରେ ବସିଲେ ସବୁଜ ଗାଲିଚା ଉପରେ ।

 

‘‘ଭଉଣୀ, ମୁଁ କାହିଁକି ତୁମକୁ ଡାକିଲି, ଜାଣ ! ମୋ’ ବିଚାରରେ ତମେ ଉଷାକୁ ଅନ୍ୟ କେଉଁ ସ୍କୁଲକୁ ନେଇଯାଅ । ଶୁଭ୍ରାଦେବୀ ହଠାତ୍ ଆରମ୍ଭ କରିଦେଲେ,’’ବଦ୍‍ନାମଟାକୁ ଏଡ଼ିବାପାଇଁ ଭଉଣୀ ହିସାବରେ ମୋର ଏହା କହିବା କଥା । ତମେ ଜାଣ ଯେ ବନମାଳାର ମୃତ୍ୟୁସମ୍ବନ୍ଧରେ ମୁଁ ଅନୁସନ୍ଧାନ ଚଳାଉଛି । ଆଉ, ମୁଁ ଏପରି ଅନେକ ତଥ୍ୟ ପାଇଛି, ଆମ ଉଷା ବିରୁଦ୍ଧରେ ଯାଉଛି ।’’

 

‘ମାଡ଼ାମ୍, ମୁଁ ସେଥିରୁ ଗୋଟିଏ ଯୋଡ଼ିଏ ଜାଣିବାରେ ଆପଣଙ୍କର କିଛି ଆପତ୍ତି ଅଛି କି-?

 

‘ନା ଭଉଣୀ, ମୁଁ ତ ଖାସ୍ ସେଇସବୁ କହିବାକୁ ତୁମକୁ ଏଠିକି ଡ଼ାକିଛି । ତେବେ ଶୁଣ–

 

ମୁଁ ଜାଣିଥିବା ପ୍ରଥମ ତଥ୍ୟ ଏହା । ଯେ ଉଷାର ଲେଖାଯାଇଥିବା ମାର୍କଲିଷ୍ଟ ଠିକ୍ ଅଛି-। କିନ୍ତୁ ‘ଟୋଟାଲିଂ’ଟା ଭୁଲଥିବାରୁ ତାହା ସଂଶୋଧନ କରାଯାଇଛି । ମୁଁ କରିଛି । ତାକୁ କେହିଜଣେ ସେହିକଥା ନେଇ ବତାଇଛି ଯେ ପଦକଟା ତା’ର ପାଇବାର ଥିଲା । କିନ୍ତୁ ତା’ର ମାର୍କସବୁ କାଟିଦିଆଯାଇ ବନମାଳାକୁ ପଦକଟା ଦିଆଗଲା । କାରଣ, ସେ ଶିକ୍ଷା ବିଭାଗ ସେକ୍ରେଟାରୀ ସାହେବଙ୍କ ଝିଅ । ଆଉ ‘ସେହି ବ୍ୟକ୍ତି, ଯାହା ଜଣାଯାଏ, ଉଷାକୁ ସେହି ପଦକଟି ସେ ପାଇବା ବିଷୟରେ ନିଶ୍ଚିତତା ଦେଇ ବହୁ ଆଶାନ୍ୱିତ କରାଇଥିଲେ ।

 

ସେ ଭଦ୍ରବ୍ୟକ୍ତି ବା ଭଦ୍ରମହିଳା କିଏ, ତାରି ଅନୁସନ୍ଧାନ ଚାଲିଛି ।

 

ଦ୍ୱିତୀୟ କଥା ହେଲା ଏଇ ଯେ, ଡି.ପି.ଆଇଙ୍କ ଆସିବା ଠିକ୍ ଆଗରୁ ଗାର୍ଡ଼ ଅଫ୍ ଅନର୍‍ ଦେବାଲାଗି ଯେଉଁ ରିହାର୍ସାଲ ହୋଇଥିଲା, ସେଥିରେ ବନମାଳା ନଥିଲା କି ଉଷା ମଧ୍ୟ ନଥିଲା । ସେ ଶ୍ରେଣୀର ମନିଟର୍ କହେ ଯେ ଉକ୍ତ ଘଟଣାର ପ୍ରାୟ ଅଧଘଣ୍ଟା ଆଗରୁ ଉଷା ଓ ବନମାଳା ସ୍କୁଲ ପଛଆଡ଼େ ଯାଉଥିବା ସେ ଦେଖିଛି ।

 

ରିହାର୍ସାଲ ଆରମ୍ଭର କିଛି ସମୟପରେ ପହଞ୍ଚି ଉଷା ଲଘୁଦଣ୍ଡ ପାଇଥିଲା । ତା’ପରେ ସମସ୍ତେ ଶ୍ରେଣୀକୁ ଯିବା କଥା । ଶ୍ରେଣୀରେ ସମସ୍ତେ ଥିଲେ, କେବଳ ବନମାଳା ଛଡ଼ା । ଡ଼ି.ପି.ଆଇ ମହୋଦୟ ଚାଲିଆସିବାରୁ ବନମାଳାକୁ ସେଇକ୍ଷଣି ଭୁଲିବାକୁ ହେଲା । ରିସେସ୍ ଛୁଟିରେ ବନମାଳାର ନୀଳଫ୍ରକ୍‍ ପାଣିଉପରେ ଭାସିବାର ପିଲାଏ ଦେଖିଲେ । ସଙ୍ଗେସଙ୍ଗେ ଯେପରି ବିଜୁଳି ଖେଳିଗଲା, ସମସ୍ତେ ଯାଇଯାହା ଦେଖିଲୁ–’’ ଶୁଭ୍ରାଦେବୀ ଦୀର୍ଘନିଶ୍ୱାସ ପକାଇଲେ ।

 

କିନ୍ତୁ ଏ କ’ଣ ପ୍ରମାଣ ଯେ ବନମାଳାକୁ ଉଷା ହତ୍ୟା କରିଛି ? ‘‘ନା, ସେ କଥାତ ମୁଁ ଏ ପର୍ଯ୍ୟନ୍ତ ଠିକ୍ ଭାବେ କହିପାରିବି ନାହିଁ । ତେବେ, ଏ ସବୁ confidence। evidence ଉଷା ବିରୁଦ୍ଧରେ ଯାଉଛି । ବନମାଳାର ମୃତ୍ୟୁ ନେଇ ଏ ଅନୁଷ୍ଠାନର କେବଳ ଉଷାଛଡ଼ା ସମସ୍ତେ ଉଦ୍‍ବିଗ୍ନ ଥିବା ଲକ୍ଷ୍ୟ କରାଯାଇଛି । ଆହୁରି କେତେକ ପ୍ରମାଣ ବି ମିଳୁଛି । ତେଣୁ ମୋର ଉପଦେଶ ତମେ ମାନିବ ବୋଲି ମୁଁ ଆଶା କରେ ।’’

 

ପଦ୍ମଜାଙ୍କ ବାଁ ହାତ ଆଙ୍ଗୁଠିର ଟିପଗୁଡ଼ାକ ଯାଇ, ତାଙ୍କ ଅଜଣାରେ, ହାତ ବ୍ୟାଗ୍ ଭିତର ସୁନାପଦକ ଉପରେ ଚିପିବାକୁ ଲାଗିଲା । ତାଙ୍କ ଟିପ ସବୁ ଯେପରି ପୋଡ଼ିଉଠିଲା ।

 

ସେ ଚଞ୍ଚଳ ହୋଇ କହିପକାଇଲେ–‘‘ମାଡ଼ମ୍, ଟିକିଏ ସେଇ ଗାଡ଼ିଆ ମୁଁ ଦେଖିଆସିବି-।’’

 

‘‘ହଉ ଚାଲ ।’’

 

ପାର୍କ ଆରକଡ଼ରେ ଗାର୍ଲସ୍କୁଲ୍‍ । ଅଫିସ୍ ନିକଟରେ ଶୁଭ୍ରାଦେବୀ କହିଲେ–’’ଆପଣ ଏଇ ସିଧା ଚାଲିଯାନ୍ତୁ । ଗାଡ଼ିଆ କୂଳରେ ପହଞ୍ଚିବେ । ମୁଁ ଅଫିସ୍‍ରୁ ଗୋଟିଏ କାଗଜ ଆଣି ଆସୁଛି-।’’

 

ପଦ୍ମଜା ଏକା ଗାଡ଼ିଆକୂଳରେ ଠିଆହୋଇ ଚଞ୍ଚଳହୋଇ ଉଠିଲେ ।

 

କେହି ନଦେଖିବା ସମୟରେ ସେ ପଦକଟାକୁ କିପରି ପାଣିଭିତରେ ପକାଇଦେବେ । ତାହା ଭାସି ଉଠିବ ନାହିଁତ ! ତାଙ୍କର କ୍ଷତି କ’ଣ ? ରାତି ଭିତରେତ କେହିଆସି ଦେଖୁନାହିଁ ତା’ଆର ଦିନ ଜଣାଯିବ । ସସସ୍ତଙ୍କ ବିଶ୍ୱାସ ଯେ ସେହି ପୋଖରୀ ଭିତରେ ପଦକଟା କେଉଁଠି ପଙ୍କ–ଫଙ୍କରେ ରହିଯାଇଛି । ସେଇଟା କିପରି ବାହାରିପଡ଼ିଲା । କିପରି ବାହାରିଲା, କିଏ କହିବ ? ସଂସାରର ସବୁ କଥାତ କିପରି, କାହିଁକି ଓ କ’ଣରେ ତୁଟି ଯାଏନା କେତେକଥା ମାନିନେବାକୁ ପଡ଼େ । ତେବେ, ଗୋଟିଏ କଥା କରାଯାଇପାରେ । ଆଚ୍ଛା, ସେଇଠି ପୋଖରୀଟାର ପାହାଚ ପଥର କଡ଼ରେ ଯେଉଁ ଭଙ୍ଗାଇଟା କେତେଖଣ୍ଡ ପଡ଼ିଛି । ସେଥିରୁ ଦୁଇଟାର ମଝିରେ ପଦକଟାକୁ ରଖି, ସେ ଲଟାରୁ ଖଣ୍ଡେ ଛିଣ୍ଡେଇ ଇଟା ଦେହରେ ଗୁଡ଼ାଇଦେବାକୁ ପଡ଼ିବ । ତା’ପରେ ସେ ଓଜନିଆ ଜିନିଷଟାକୁ ଅତୁଠରେ ଫିଙ୍ଗିଦେବାକୁ ପଡ଼ିବ ।

 

ଦୂରରେ ଶୁଭ୍ରାଦେବୀଙ୍କ ପାଟି ଶୁଣାଗଲା । କାହାକୁ କ’ଣ କରି ଦେବାକୁ ଆଦେଶ ଦେଉଛନ୍ତି ।

 

ପଦ୍ମଜା ଚଞ୍ଚଳ ଚଞ୍ଚଳ ନିଜ କାମ ସାରିଦେଲେ ।

 

ପାଣିରେ ଲହରୀ ଖେଳିଗଲା ।

 

ଅସଂଖ୍ୟ ଜଳ ବୃତ୍ତ ସେଇ ପଡ଼ିବା ସ୍ଥାନକୁ କେନ୍ଦ୍ରକରି ଚତୁର୍ଦ୍ଦିଗରେ ବିସ୍ତାରିତ ହେବାକୁ ଲାଗିଲା ।

 

ପଦ୍ମଜା ଚଞ୍ଚଳ ହୋଇଉଠିଲେ ।

 

ଓଃ ! ଶୁଭ୍ରାଦେବୀ ଚାଲିଆସିଲେ ଯେ !

 

ପଦ୍ମଜା ଚଟ୍‍କରି ଖଣ୍ଡେ ଛୋଟପଥର ଧରିଲେ । ଶୁଭ୍ରାଦେବୀ ତାଙ୍କର ଅତି ନିକଟ ହୋଇଯିବାରୁ, ସେଇଟି ତାଙ୍କୁ ଦେଖାଇ ପାଣି ଭିତରକୁ ପକାଇଦେଲେ ଓ ମାନ ହସି କହିଲେ,–‘ମାଡ଼ାମ୍, ସ୍କୁଲ ଆଗରେ ସେଇ ଲାଇଟ୍‍ର ଛବି ଅସଂଖ୍ୟ କ୍ଷୁଦ୍ର ଲହରୀ ଉପରେ ଯେଉଁ ଖେଳ କରୁଛି, ତା’ ଦେଖିବାକୁ ମୋତେ ବଡ଼ ସୁନ୍ଦର ଲାଗେ ।

 

ଜଳବୃତ୍ତର କେନ୍ଦ୍ର ବଦଳିଯାଏ ।

 

‘‘ହଁ, ବାସ୍ତବିକ୍ ବଡ଼ ସୁନ୍ଦର ।’’ ଶୁଭ୍ରାଦେବୀ ସମର୍ଥନ ଜଣାଇ ଟିକିଏ ଦେଖିନେଲେ ।

 

ମଣିଷ ମିଛ କହିଲେ ବା ପାପକାମ କଲେ, ତାକୁ ଘୋଡ଼େଇବା ଲାଗି ମିଛ କହେ ବା ଆହୁରି ପାପ କରେ । ଛିଣ୍ଡାକନା ଉପରେ ତାଳି ମାଳିକା ।

 

ସତ୍ୟର ପ୍ରମାଣ ଦରକାର ନାହିଁ, ମିଥ୍ୟାର ଦରକାର । ପଦ୍ମଜାଙ୍କ କଥାବାର୍ତ୍ତା ଓ କାର୍ଯ୍ୟକଳାପ ଶିଶୁସୁଲଭ ହୋଇଉଠିଛି । ବିଦଗ୍ଧ ଆତ୍ମା ତା’ର ସନ୍ତାନର କଲ୍ୟାଣ ଲାଗି ଚେଷ୍ଟିତ ।

 

ଶୁଭ୍ରାଦେବୀ କହିଲେ,–‘‘ଭଉଣୀ, ପୁରା ତ ଅନ୍ଧାର ହୋଇଗଲା ଟିକିଏ ଆମ ଘରଆଡ଼େ ଯିବାକି ? ରାତିଟା ସେଇଠି ରହିଯିବ । ରାଣ ଅଛି, ଆସ ।’’

 

‘‘ନା ମାଡ଼ାମ୍, ଆପଣ କହିବା ପରମୁହୂର୍ତ୍ତରୁ ମୁଁ ଠିକ୍ କରିନେଇଛି ଯେ ଉଷାର ଟି. ସି. ନେଇଯିବି । ଆପଣ ଠିକ୍ ଉପଦେଶ ଦେଇଛନ୍ତି । ତେଣୁ ଆପଣଙ୍କୁ ଟି. ସି. ଲାଗି ଦରଖାସ୍ତ ଦେଇ ରାତି ଏକ୍ସପ୍ରେସରେ ଚାଲିଯିବି । ...ମାଡ଼ାମ୍, ବାପା ରୁଗ୍‍ଣ ହେଲାଦିନଠାରୁ ମୁଁ କେଉଁଠି ରାତିରେ ରହିଯାଏନା ।

 

ତେଣୁ ଆପଣଙ୍କ ଅନୁରୋଧ ରକ୍ଷା କରିନପାରି ଲଜ୍ଜିତ । କ୍ଷମା କରିବେ । ନମସ୍କାର”

 

‘‘ଅପା, ନମସ୍କାର ।’’

 

ପଦ୍ମଜା ରିକ୍ସାରେ ଷ୍ଟେସନକୁ ଚାଲିଯାଇଥିଲେ । ଅଟକିଯାଇ ଦେଖିଲେ ଚକ୍ରପାଣି ସାଇକଲରୁ ଓହ୍ଲାଇ ହାତଯୋଡ଼ିଛି । ରିକ୍ସାଟାକୁ ବାଁ ପଟକୁ ନେଇଯିବାକୁ କହି, ଚକ୍ରପାଣି କିଛି ପଚାରିବା ପୂର୍ବରୁ କହିଲେ–’’ଚକ୍ର, ମୁଁ ଆସିଥିଲି ହେଡ଼ମିଷ୍ଟ୍ରେସଙ୍କ ପାଖକୁ । ଉଷାର ଟି.ସି.ଟା ନେଇଯିବି । ଗାଡ଼ିକୁ ଯାଉଛି ।’’ ‘‘ଟିକିଏ ଚାଲିଯିବା ଘରଆଡ଼େ । ଗାଡ଼ି ଟାଇମ୍ ତ ଆଉ ଘଣ୍ଟାଏ ଅଛି । ମୁଁ ଏଇ ଆସୁଛି ଷ୍ଟେସନରୁ ।’’ ଚକ୍ରପାଣି ଅନୁରୋଧ କଲା ।

 

ପଦ୍ମଜାଙ୍କ ପକ୍ଷେ ଏ ଅନୁରୋଧ ଏଡ଼ିବା ସମ୍ଭବପର ହୋଇପାରିଲା ନାହିଁ । ଶିଷ୍ଟାଚାର ଦାବିକଲା ଚକ୍ରପାଣି ଘରକୁ ଯିବାକୁ ।

 

ବିଶ୍ୱବିଦ୍ୟାଳୟ ପରୀକ୍ଷାପରେ ଚକ୍ରପାଣିର ସ୍ନେହପ୍ରଭା ସହ ବିବାହ ସରିଯାଇଛି । ଦୁହେଁ ସ୍ନେହପ୍ରଭା ଘରେ କିଛିମାସ ରହିଯାଇଛନ୍ତି ।

 

ଘରେ ପହଞ୍ଚି ଚକ୍ରପାଣି ଅପାର ସତ୍କାରରେ ଲାଗିପଡ଼ିଲା । ପଦ୍ମଜା ଏକାବସି ରହିଲେ ଗୋଟିଏ ଇଜିଚେୟାରରେ । ପାଖ ଟେବୁଲ ଉପରେ ଥିବା ଖଣ୍ଡିଏ ପୁରୁଣା ‘ନିଆଁ ଖୁଣ୍ଟା’ ଲେଉଟାଇବାରେ ଲାଗିଲେ । କିନ୍ତୁ ଜଣାଯାଉଥିଲା, ସେ କ’ଣ କରୁଛନ୍ତି, ଜାଣନ୍ତି ନାହିଁ ।

 

ସେହି ସମୟରେ ଘରଉପର ମହଲାରୁ ସ୍ତ୍ରୀକଣ୍ଠର ବିଳାପ ଶୁଣାଗଲା । ପଦ୍ମଜା ପ୍ରକୃତିସ୍ଥ ହୋଇ ଶୁଣିଲେ, ଆଉଜଣେ ସ୍ତ୍ରୀବ୍ୟକ୍ତି କ୍ରନ୍ଦନରତାଙ୍କୁ ସାନ୍ତ୍ୱନା ଦେଉଚନ୍ତି ।

 

ଠିକ୍ ସେଇ ସମୟରେ ଚକ୍ରପାଣି ପଶିଆସିଲା । ପଛେପଛେ ଚାକର ଜଳଖିଆ ଓ ପାଣିଗ୍ଲାସ ଆଣି ଛୋଟ ଟେବୁଲ୍‍ଟି ଉପରେ ଥୋଇଦେଲା ।

 

‘‘କ’ଣ ଅପା, ଉଷାର ଟି.ସି. କଥା କ’ଣ କହୁଥିଲ ।’’

 

‘‘ହଁ ଚକ୍ରପାଣି ମନେପଡ଼ିଲା । ଖଣ୍ଡେ କାଗଜ ଦେ ତ । ଟି.ସି. ଲାଗି ଦରଖାସ୍ତ ଲେଖିଦିଏ । ଘରକୁ ଯାଇ ପଠାଇବି ଭାବୁଥିଲି । ଏଇଠି ଲେଖିଦେବି । ତୁ ନେଇ କାଲି ହେଡ଼ମିଷ୍ଟ୍ରେସଙ୍କୁ ଦେଇ ଦେବୁ ।’’

 

‘‘କିନ୍ତୁ–

 

‘‘ସେ ସବୁ ପରେ ।’’

 

ପଦ୍ମଜା ଲେଖାସାରି ଚକ୍ରପାଣି ହାତକୁ ବଢ଼େଇଦେଲେ । କହିଲେ–’’ଉଷା, ଅନ୍ୟଠାରେ ପଢ଼ିବ । ପୁରୀକୁ ନେଇଯିବି । ମୋ ପାଖରେ ରହି ପଢ଼ିବ ।’’

 

‘‘କ’ଣ ଏଠାରେ ତା’ର କିଛି ଅସୁବିଧା ହେଲା ।’’

 

ସିଡ଼ି ଉପରେ ଓହ୍ଲାଇବାର ପାଦଶବ୍ଦ ଶୁଣାଗଲା ।

 

ପଦ୍ମଜା କହିଲେ–’’ହଁ ସେପରି କିଛି । ତୁ ସବୁ ଶୁଣିଥିବୁ ଭାବୁଥିଲି ।’’

 

‘‘ନା ।’’

 

ଏଠାରେ ଗାର୍ଲସ୍କୁଲ୍‍ରେ ଜଣେ ବାଳିକା ସ୍କୁଲପଛ ପୋଖାରୀରେ ପଡ଼ି ମରିଗଲା । ସମସ୍ତେ ସନ୍ଦେହ କରୁଛନ୍ତି ଉଷାକୁ । ଏ ବାୟୁମଣ୍ଡଳରେ ସେ ଚଳିବା ଅନୁଚିତ ।’’

 

‘‘ଅସମ୍ଭବ !ଉଷା ଏହା କରିନପାରେ । ମୁଁ ତେବେ ହେଡ଼ମିଷ୍ଟ୍ରେସଙ୍କ ପାଖକୁ ଏବିଷୟ ନେଇ ଯାଉଛି ଟି.ସି. କଥାପରେ ଦେଖାଯିବ ।’’

 

‘‘ନା ।’’

 

ସେହି ସମୟରେ ଦୁଇଟି ସ୍ତ୍ରୀବ୍ୟକ୍ତି ଘର ଭିତରକୁ ପଶିଆସିଲେ । ସ୍ନେହପ୍ରଭା କହିଲା–’’ଆରେ, ଅପା ! ନମସ୍କାର । ଏ ହେଉଛନ୍ତି ମୋ ମାଉସୀର ଝିଅ । ଆଉ ବନମାଳା ୟାଙ୍କରି ଝିଅ । ସେ ସ୍କୁଲ ପୋଖରୀରେ ବୁଡ଼ି ମରିଯାଇଛି । ସନ୍ଧ୍ୟାବେଳୁ ମୋ’ ପାଖରେ ଆସି କାନ୍ଦୁଛନ୍ତି । ବୁଝୁନାହାନ୍ତି ।’’

 

ପଦ୍ମଜା ଘୋର ଆଶ୍ୱସ୍ତି ବୋଧକଲେ ।

 

ସ୍ନେହପ୍ରଭା ପୁଣି କହିଲେ–’’ଆଉ ଭଉଣୀ, ଏ ହେଉଛନ୍ତି ଉଷାର ମା’ ।’’

 

ପଦ୍ମଜାଙ୍କ ଛାତିଭିତରକୁ ତାତିଲା ଲୁହାଖଣ୍ଡେ ଯେପରି କିଏ ମାଡ଼ିଦେଲା । ସତେଯେପରି ଉଷା ସମ୍ବନ୍ଧରେ ଆଗରୁ ସବୁ କଥାବାର୍ତ୍ତା ସରିଛି । କେବଳ ତା’ର ଗର୍ଭଧାରିଣୀଙ୍କୁ ପରିଚୟ କରାଇଦେବା ବାକି ଥିଲା । ସେତକ ହୋଇଗଲା ।

 

ପଦ୍ମଜାଙ୍କ ଆଖିଆଗରେ ଯେଉଁ ସାମୟିକ ଝାପ୍ସା ଦେଖାଗଲା, ତାରି ଭିତରେ ଓକିଲ ହରପ୍ରସାଦବାବୁଙ୍କ ଭୋଜୀ ରାତ୍ରିର ଉଦ୍ୟାନଦୃଶ୍ୟଟି ସେ ପରିଷ୍କାର ଦେଖିପାରିଲେ । ସେ ଶୁଣିପାରିଲେ, ସେହି ଦୃଶ୍ୟର ସ୍ତ୍ରୀବ୍ୟକ୍ତିଟି ଚିତ୍କାର କରୁଛି–’’ଆଉ ମୁଁ ମଧ୍ୟ ଦେଖିବି ଏ ଛ’ ମାସ ଭିତରେ ସେ ମର୍ଡ଼ରେସ୍ ଯେପରି ହାଜତକୁ ଯାଏ ।’’

 

ପଦ୍ମଜାଙ୍କ ପରିବର୍ତ୍ତନଟା ଧରାପଡ଼ିଗଲା ଚକ୍ରପାଣି ଦୃଷ୍ଟିରେ । ସେ ବ୍ୟସ୍ତ ହୋଇଉଠି କହିଲା–’’ଅପା, ଷ୍ଟେସନ୍‍କୁ ଏଥର ଚାଲଯିବା । ଗାଡ଼ି ଆସିବାକୁ ଆଉ ୧୫ ମିନିଟ୍ ରହିଲା ।’’

 

ବିନା ବାକ୍ୟବ୍ୟୟରେ ପଦ୍ମଜା ଉଠି ଚକ୍ରପାଣି ସହ ଚାଲିଗଲେ । ଗଲାବେଳେ ଦୁଇଜଣ ସ୍ତ୍ରୀଙ୍କୁ ଦେଖି ଯାହା ଟିକିଏ ମ୍ଳାନ ହସି ହସି ଦେଇଥିଲେ ।

 

ଅଜ୍ଞତାବଶତଃ ଚକ୍ରପାଣି ତାଙ୍କୁ ଯେଉଁ ଭୀଷଣ ଧକ୍କାର ସମ୍ମୁଖୀନ କରାଇଥିଲା, ସେ ପୁଣି ତାଙ୍କୁ ସେହି ଧକ୍କାପରେ ସମ୍ଭାଳିନେଇ ଚାଲିଆସିଲା ।

 

‘‘ହେ କଚୁଆନ୍ ! ଗାଡ଼ି ବନ୍ଦକର–‘‘ମି. ମହାନ୍ତି ଆଦେଶ ଦେଲେ । ଘୋଡ଼ାଗାଡ଼ିଟା ଠପାଠପ ପିଚ୍ ରାସ୍ତା ଉପରଦେଇ ଦୌଡ଼ି ଚାଲିଯାଉଥିଲା । ଆଦେଶ ପରେପରେ ବନ୍ଦ ହୋଇଗଲା । ‘‘କିଓ ପଦ୍ମ, ତୁମେ ? ଚାଲିଆସ ଗାଡ଼ିଭିତରକୁ ।’’

 

ନମସ୍କାର ଜଣାଇ ପଦ୍ମଜା ରିକ୍ସାରୁ ଓହ୍ଲେଇଗଲେ । ରିକ୍ସାବାଲାକୁ ପଇସା ଦେଇସାରି ଗାଡ଼ିଭିତରକୁ ଉଠିଆସିଲେ ।

 

ମି. ମହାନ୍ତି ଆଶ୍ଚର୍ଯ୍ୟ ହୋଇଗଲେ । ପଦ୍ମଜାଙ୍କ ଚିନ୍ତିତ ଶୀର୍ଣ୍ଣ ମୁଖମଣ୍ଡଳ ଦେଖି ।

 

‘‘କାହିଁ, ମୁଁ ତ ଆସିବା ଖବର ଚିଠିରେ ଜଣାଇନଥିଲି । ଏଥର ଗୋଟିଏ କାମରେ ହଠାତ୍ ଚାଲିଆସିଲି । ତୁମେ ମୋ ଆସିବାକୁ କିପରି ଅପେକ୍ଷା କରିଥିଲ? ସେଥିପାଇଁ ଷ୍ଟେସନ୍‍କୁ ଚାଲିଆସିଥିଲ, ନା ? ତୁମର କ’ଣ ହୋଇଛି ? ଉଷା କିପରି ଅଛି ? ବାପା ଟିକିଏ ଉଠିବସି ପାରିଲେଣି ? ଆଉ ଧନିଆଁ ଭଲ ଅଛି ?’’

 

ଓଃ ! ଅସରନ୍ତି ପ୍ରଶ୍ନ ।

 

କେଉଁ ପ୍ରଶ୍ନଟା ଯେ ପଦ୍ମଜାଙ୍କ ମୁଣ୍ଡଭିତରେ ପଶିଲା, କହି ହେବନାହିଁ । କାରଣ, ସେ ଗୋଟିଏ ମାତ୍ର ଉତ୍ତର ଦେଲେ–’’ମୁଁ ଆଜି ଉଷାର ଟି.ସି. ମାଗିଦେଇଛି ।’’

 

ମି: ମହାନ୍ତି ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ ।

 

‘‘କ’ଣ ମୋତେ ଟିକିଏ ସୁଦ୍ଧା ପଚାରିଲ ନାହିଁ । କ’ଣ ହେଲା ।’’

 

‘‘ଘରେ ସବୁ କହିବି ।’’

 

ଏ କଚୁଆନ୍ ! ଗାଡ଼ିଟା ସ୍ଵର୍ଗଦ୍ଵାରବାଟେ ନେଇଚାଲ ।’’ ରାତି ନ’ଟା ।

 

ଠପ୍ ଠପ୍, ଠପା ଠପ୍ । ଗାଡ଼ି କଦମ ଗତିରେ ସମୁଦ୍ର କୂଳେକୂଳେ ଚାଲିଲା ।

 

ସମୁଦ୍ରର ସବୁ ଲହରୀ ଯେପରି ସମସ୍ତ ଜଳକଣାସିକ୍ତ ଚଞ୍ଚଳପବନକୁ ସେଇ ଗାଡ଼ିଭିତରକୁ ଠେଲିଦେଉଥିଲେ । ତଥାପି ପଦ୍ମଜାଙ୍କୁ ଶୀତଳ ବୋଧହେଲା ନାହିଁ । ଚିର ଚଞ୍ଚଳ ଜଳରାଶି ମଧୁରଧ୍ଵନିରେ ମତ୍ତଥିଲା ।

 

ତଥାପି ପଦ୍ମଜା ପ୍ରକୃତିସ୍ଥ ହେବାପରି ଜଣାଗଲା ନାହିଁ । ସେ ଯେପରି ଏକଲୟରେ ସମୁଦ୍ରମଧ୍ୟରୁ ଉଠିଆସୁଥିବା ଗୋଟିଏ ନୈସର୍ଗିକ ସୌନ୍ଦର୍ଯ୍ୟ ପାନକରି ଯାଉଥାନ୍ତି । ପଞ୍ଚମୀର ଚନ୍ଦ୍ରବିମ୍ବ, ଯାହାର ବର୍ଦ୍ଧମାନ ଝଲକରେ ଜଳ ସ୍ଥଳ ଆକାଶ ଧୀରେଧୀରେ ଆଲୋକିତ ହୋଇଉଠୁଥିଲା ।

 

କଚୁଆନ୍‍ଟି ଏ ପୁରୁଷ ଓ ସ୍ତ୍ରୀର ପ୍ରଣୟରେ ସାହାଯ୍ୟ କରୁଥିବାରୁ ନିଜକୁ କୃତାର୍ଥ ମନେକରୁଥିଲା । କାରଣ, ସେ ଏ ଦୁହିଁଙ୍କୁ ସ୍ୱାମୀ–ସ୍ତ୍ରୀ ରୂପେ ନଜାଣି ଲଭର୍ ବୋଲି ଭାବୁଥିଲା ।

 

ତା’ ଗାଡ଼ି ଭିତରେ ଏ ‘ଲଭର୍’ ଦୁହିଁଙ୍କ ମଧ୍ୟରେ କି ପ୍ରେମ ସମ୍ଭାଷଣ ଚାଲିଥିଲା, ତା’ଶୁଣିବା ଲାଗି ମଷୁଦ ଖାଁ, ଓରଫ୍ ମୂଷାଖାଁ ଭାରି ଇଚ୍ଛା ପ୍ରକାଶ କଲା ।

 

ତେବେ, କାନଡ଼େରି ଶୁଣାଯାଉ ।

 

ସେ ଯଥାସାଧ୍ୟ ଚେଷ୍ଟା କଲା କେତେପଦ ଶୁଣିଯିବାକୁ । ତା’ପର କଥାଟା ସେ ଗଢ଼ିନେବ ।

 

ଯେତେସବୁ ଅନର୍ଥର ବୀଜ, ତାଙ୍କ ମଧ୍ୟରୁ ମୂଷା ଖାଁ କଚୁଆନ୍ ଜଣେ । କିଛିକ୍ଷଣ ନୀରବରେ କଟିଲା ପରେ ମୂଷା ଖାଁ ଶୁଣିଲା–

 

ପୁରୁଷ କଣ୍ଠ–କ’ଣ ହେଲା ପଦ୍ମ । ତମେ ଏତେ–କାହିଁକି ।

 

ସ୍ତ୍ରୀ କଣ୍ଠ–ଉଷା–ଉଷା–

 

ପୁରୁଷ କଣ୍ଠ–ହଁ ଉଷା–କ’ଣ କଲା ?

 

ସ୍ତ୍ରୀ କଣ୍ଠ–(ସକେଇ ଉଠିଲେ)

 

ପୁରୁଷ କଣ୍ଠ–ଆରେ ! କ’ଣ–କହ। ସେପରି ହେଲେ–ଚାଲିଯିବା ।

 

ସ୍ତ୍ରୀ କଣ୍ଠ–ଉଷା–ର କେହି ଗୋଟିଏ ଝିଅ–ମଲା । ସେଥିରେ ସମସ୍ତଙ୍କର–ଉପରେ ସନ୍ଦେହ ।

 

ପୁରୁଷ କଣ୍ଠ–(କ୍ରୋଧରେ) ତା’ହେଲେ କ’ଣ ସେହି ସ୍କୁଲର ସବୁ ଇଡ଼ିୟଟ–ଯେ ଉଷା ତାକୁ–

 

ସ୍ତ୍ରୀ କଣ୍ଠ–ହଁ ମୁଁ ବି କିଛି–ପାଇଛି ।

 

ପୁରୁଷ କଣ୍ଠ–(କ୍ରୋଧରେ) ମୁଁ ଏସବୁ–କଦାପି–ନାହିଁ ।

 

କେତେକ ଶବ୍ଦ ବାୟୁ ହିଲ୍ଲୋଳରେ ମିଶିଯାଉଥିବାରୁ ମୂଷା ଖାଁ ସେଗୁଡ଼ିକ ଶୁଣିପାରିଲା ନାହିଁ ଓ କେତେକ ‘କିଟମିଟ୍’ ଭାଷାକଥା ଗୁଡ଼ାକ ବୁଝି ହେଲା, ବୁଝି ହେଲାନି।

 

ମି. ମହାନ୍ତି କହିଲେ–“ଏ କଚୁଆନ୍ ! ଦୋଳମଣ୍ଡପ ।’’

 

ଗାଡ଼ିବନ୍ଦ ହୋଇଯିବାରୁ ଦୁଇଟଙ୍କିଆ ନୋଟ୍ ଖଣ୍ଡିଏ ବଢ଼ାଇଦେଇ ମି. ମହାନ୍ତି ଜୋତା ମଚ୍‍ମଚ୍ କରି ଘରର ପାହାଚ ଉପରକୁ ଉଠିଗଲେ । ପଦ୍ମଜା ପରେପରେ ଉଠିଲେ । ମୂଷା ଖାଁ କିଛିକ୍ଷଣ ସେମାନଙ୍କ ପଛରେ ଚାହିଁ ରହି ଗାଡ଼ି ବୁଲାଇ ଚାଲିଗଲା । ଗଲାବେଳେ ଦାଢ଼ି ଓ ମୁହଁ ଗାଡ଼ିପଛକୁ ରଖିବାକୁ ଭୁଲିନଥିଲା ।

 

‘‘ଆରେ ଓ ତୋ’ ଶାଲା ମେଜେଷ୍ଟର୍କା ମକାନ୍ ହୈ । ଉସ୍କା ବାପ୍ ଜଜ୍ ଥା ଓ ଶାଲା ମକାନ୍ ଭୀ କ୍ୟାଥା ! କୋଇ ଜାନେ–’’ମଦନିଶା ମୂଷା ଖାଁକୁ ଯେପରି ଶତଜିହ୍ଵ କରିଦେଇଥିଲା ।

 

ଧୀରେ ଧୀରେ ମୁଷାଖ । ଗାଡ଼ି ସହ ନୈଶ ଅନ୍ଧକାର ମଧ୍ୟରେ ମିଳାଇଗଲା । ଘୋଡ଼ାଖୁରାଗୁଡ଼ିକର ଟପ୍ ଟାପ ଧୀରେଧୀରେ କ୍ଷୀଣତର ହୋଇଆସୁଥିଲା ।

 

ମି–ମହାନ୍ତି ପ୍ରଥମ କୋଠରୀର ସ୍ୱିଚ୍‍ମାରି ଲାଇଟ୍‍ ଲଗାଇଦେଲେ । ମଝିରେ ଅଣ୍ଡାକୃତି ଟେବୁଲ୍‍ ଚାରିକଡ଼େ ପଡ଼ିଥିବା ଚୌକିଗୁଡ଼ିକରୁ ଗୋଟିକରେ ବସିପଡ଼ିଲେ ।

 

ପଦ୍ମଜା ଆସିବାରୁ ବସିବାକୁ କହି ପଚାରିଲେ–

 

ପୁରାପୁରି ବ୍ୟାପାରଟା କ’ଣ ? କ’ଣ ମୋ ଦେଇ କିଛି ହୋଇପାରିବ ନାହିଁ ଯେ ତୁମର ମୋ’ ନିକଟରେ ଅବିଶ୍ୱାସ । ଚଞ୍ଚଳ କହ । ମୁଁ ତୁମକୁ ଦେଖିଲାକ୍ଷଣି ଭାବିନେଇଛି ଯେ ତୁମ ମନସ୍ତର ଉପରେ ଗୋଟିଏ ପୈଶାଚିକ ଝଡ଼ର ପ୍ରକୋପ ଚାଲିଛି ।

 

ତୁମେ ଏତେ ଚିନ୍ତିତ ଓ ଶୀର୍ଣ୍ଣ ଦେଖାଯାଉଛ ସେଇଥି ଲାଗି । କ’ଣ ହୋଇଛି ?’’

 

ସେ ପଦ୍ମର ହାତ ପାପୁଲି ଦୁଇଟି ନିଜହାତ ଭିତରେ ନେଇ ରଖିଲେ ।

 

ତାହା ଯେପରି ପଦ୍ମଜାଙ୍କୁ ଯଥେଷ୍ଟ ସମୟ ଲାଗି ବଳଦେଲା ।

 

ସେ ଉଷା ସମ୍ବନ୍ଧରେ ଚଞ୍ଚଳାଙ୍କ ମୃତ୍ୟୁ ଦିବସ ପରଠାରୁ, ଟି.ସି. ଲେଖାଯିବା ଘଟଣା ପର୍ଯ୍ୟନ୍ତର ଗୋଟିଏ ନିଚ୍ଛକ ଚିତ୍ର ସ୍ୱାମୀଙ୍କ ଆଗରେ ବାଢ଼ିଦେଲେ । କିନ୍ତୁ କେଜାଣି କାହିଁକି, ପଦକ ବିଷୟରେ ସେ କିଛି କହିପାରିଲେ ନାହିଁ ।

 

ମି. ମହାନ୍ତି ତାହାଫଳରେ କ୍ଷଣିକ ଲାଗି ଚିନ୍ତିତ ଦେଖାଗଲେ ।

 

କିଛି ସମୟ ନୀରବରେ କଟିଗଲା ।

 

ପଞ୍ଚମୀ ଚନ୍ଦ୍ର ଉପରେ ତନୁ ପାତଳୀ ମେଘଟିଏ ଗୁଡ଼ାଇହୋଇଗଲା । ଜଜ–କୋଠିସାମନା ପଟେ କାଇଦା କଟକଣାରେ ବଢ଼ିଥିବା ବଗିଚା ଉପରେ ସ୍ଥାନ ଚନ୍ଦ୍ରାଲୋକ ଏକମାୟା ବିସ୍ତାର ପଦ୍ୟ ରଚନା କରିଦେଇଥିଲା ।

 

କାହିଁ ଦୂରରୁ ବିରହ ବିଧୂର ପକ୍ଷୀଟିର କଣ୍ଠ ବିଳାପ ମୂର୍ଚ୍ଛନା ତୋଳୁଥିଲା–’’ପ୍ରିୟତମ, ଫେରିଆସ ।’’

 

କିନ୍ତୁ ପ୍ରିୟତମ ଆଉ ଆସିପାରେନା–ସେ ଜୀବନଧାରାର ଅପରପାର୍ଶ୍ୱ ଅନ୍ଧକାର ମଧ୍ୟରେ ମିଶିଗଲାଣି–ସେ ଫେରିପାରେ ନାଁ ।

 

ଉପରମହଲାରେ କାହାର ଖୁବ୍‍ଜୋରରେ ଦୌଡ଼ିବା ଶବ୍ଦ ଶୁଣାଗଲା । ଦମ୍ପତି ଛମକି ଉଠିଲେ । ମି. ମହାନ୍ତି ହଠାତ୍ ଉଠି ଦୌଡ଼ିଗଲେ ସିଡ଼ିଆଡ଼େ ।

 

ପଦ୍ମଜାଙ୍କ ଛାତିଭିତରେ ଦାଉଁକରି କିଏ ପିଟିଦେଲା ।

 

ସେ ଗୋଟିଏ ଚିତ୍କାର କରି ଧାଇଁଗଲେ । କିନ୍ତୁ ମୁଣ୍ଡଟି ବୁଲାଇଦେଲା କବାଟଟାରେ ଧକ୍କାଖାଇ ସେ ତଳେ ପଡ଼ିଗଲେ ।

 

ଭାଗ୍ୟକୁ ଚଟାଣ ଉପରେ ଗାଲିଚା ବିଛାଯାଇଥିଲା । ତେବେ ତଳେପଡ଼ିବା ଫଳରେ ପଦ୍ମଜାଙ୍କୁ ସବୁ କିଛିକ୍ଷଣ ଲାଗି ହୋଇଗଲା ଅନ୍ଧକାର–ନିବିଡ଼ ।

 

ମି. ମହାନ୍ତିଙ୍କୁ ଘୃଣା କ୍ଷରରେ ସୁଦ୍ଧା ଏସବୁ ଜଣାଗଲା ନାହିଁ ।

 

ସେ ସିଡ଼ିର ଉପରକୁ ଅଧାଅଧି ଉଠିଯାଇଥିଲେ । ହଠାତ୍ ମୁଣ୍ଡଟେକି ଦେଖିଲେ, ସିଡ଼ିର ଠିକ୍ ଉପରେ ଚାକରାଣୀ ‘ଲଛି’ ଠିଆ ହୋଇ ଧାନପତ୍ର ପରି ଥରୁଛି ।

 

ଲଛି ବାପାଙ୍କ ଘରେ ଦିନକୁ ୧୨ ଘଣ୍ଟାଥାଏ । ତାଙ୍କର ସମସ୍ତ ସେବାକରେ ।

 

ଘରର ପୁରୁଣା ଚକରାଣୀ । ‘‘ଭୃତ୍ୟମନ୍ତ୍ରଂ ପୁରାତନଂ ।’’

 

ଲଛି ମି.ମହାନ୍ତିଙ୍କୁ ଆକସ୍ମିକଭାବେ ଉଠିଆସୁଥିବା ଦେଖି ହତାବକ୍ ମଧ୍ୟ କିଛି ସମୟ ଲାଗି ହୋଇଗଲା ।

 

ମି. ମହାନ୍ତି ଆଗ୍ରହା ବେଗରେ ଚିପା ଅଥଚ ଦୃଢ଼ସ୍ୱରରେ ପଚାରିଲେ–

 

‘‘ଲଛି କ’ଣ ହେଲା ? ଏଁ ! ତୁ ଏପରି ଥରୁଚୁ କାହିଁକି ?’’

 

ଲଛି କିଛି କହିପାରିଲା ନାହିଁ । ଜିଭ ତା’ର ଧୂଳିପରି ଶୁଖିଯାଇଥିଲା ।

 

ମି. ମହାନ୍ତି ଏକ ସେକଣ୍ଡରୁ ବେଶୀ ସେଠାରେ ନରହି ଦ୍ଵିତୀୟ ପାବଚ୍ଛ ଶ୍ରେଣୀରେ ଉଠିଗଲେ । ଉପର ମହଲାର ବାରଣ୍ଡା ଉପରେ ପୂର୍ବକୁ ଦୌଡ଼ିଯାଇ ଅଦୃଶ୍ୟ ହୋଇଗଲେ । ଲଚ୍ଛି ଅବଶରେ ସେଇଠି ବସିପଡ଼ିଲା ।

 

ମି. ମହାନ୍ତି ସେ ଦୃଶ୍ୟରେ ହତଭମ୍ବ ହୋଇଗଲେ । ଚିତ୍କାର କରିଉଠିଲେ ପାଗଳଙ୍କ ପରି–’’ପଦ୍ମା ! ପଦ୍ମା ! ପଦ୍ମା !’’

 

ବୃଦ୍ଧ ରୁଗ୍‍ଣ ପିତାଙ୍କୁ ରୌକଷ୍ କରି ଖଟରେ ବାନ୍ଧି ଦିଆଯାଇଛି । ତାଙ୍କ ପାଟି ଓ ନାକରେ କନା ଦିଆଯାଇ ମୁହଁକୁ ଖୁବ୍ ଜୋରରେ ବାନ୍ଧି ଦିଆଯାଇଛି ।

 

ମି. ମହାନ୍ତି ଆଗ ଯାଇ ମୁହଁର ବନ୍ଧାଲୁଗାକୁ ଚାବିପେନ୍ଥା ସହ ଥିବ ଛୋଟଛୁରୀରେ କାଟିପକାଇଲେ । ପାଟି ଓ ନାକରୁ କନା ବାହାରକରି ମୁହଁ ଧୋଇଦେଇ ବିଜୁଳି ପଙ୍ଖା ଚଳାଇଦେଲେ । ବୃଦ୍ଧଙ୍କ ମୁହଁରେ ସଫା ରୁମାଲ୍‍ଟା ପକାଇ ପାଟିରେ ଜୋର ଫୁଙ୍କିବାକୁ ଲାଗିଲେ । ତଥାପି ବୃଦ୍ଧଙ୍କର ଚେତନା ଆସିଲା ନାହିଁ ।

 

ମି. ମହାନ୍ତି ଡାକିଲେ–’’ବାପା ! ବାପା !

 

କିଛି ସମୟ ପରେ, ବୃଦ୍ଧ ଧୀରେ ଚକ୍ଷୁ ଫିଟାଇଲେ । ଦୁଇଧାର ଲୋତକ କାନ ପାଖଦେଇ ଝରିଗଲା । ସେ ଧୀରେ ହାତ ଉଠାଇ ବଡ଼ ଝରକାକୁ ଦେଖାଇଲେ ।

 

ମି. ମହାନ୍ତି ଝରକା ନିକଟକୁ ଦୌଡ଼ିଗଲେ । ସେହି ଝରକାରେ କେବଳ ଗୋଟିଏ ମାତ୍ର ଲୁହା ଛକ ‘କ୍ରସ୍’ ପରି ଦିଆଯାଇଥିଲା । ବାକି ଅଂଶଗୁଡ଼ିକ ସଫା ଖୋଲାଥିଲା । ଚାରିଟି ଲୋକ ସେଇ ଖୋଲା ଅଂଶଗୁଡ଼ିକ ଦେଇ ସ୍ୱଚ୍ଛନ୍ଦରେ ଯିବାଆସିବା କରିପାରିବେ । ରୋଗୀବଖରା ଲାଗି ପ୍ରଚୁର ଖୋଲା ପବନ ଓ ସୂର୍ଯ୍ୟକିରଣ ଦରକାର, ତା’ ଜାଣି ପଛକାନ୍ଥର ଝରକାଟା ସେହପରି କରାଯାଇଥିଲା । ମି. ମହାନ୍ତି ଦେଖିଲେ, ସେଇ ଲୁହାଛକ ମଝିରେ ଗୋଟିଏ ମୋଟା ଦଉଡ଼ି ବନ୍ଧାଯାଇ ତଳକୁ ଝୁଲିଛି ।

 

ମି. ମହାନ୍ତି ତଳକୁ ଚାହିଁ ଯାହା ଦେଖିଲେ, ସେଥିରେ ସେ ପାଗଳପରି ହୋଇଯାଇ ଉପରମହଲାରୁ ଦୌଡ଼ିଆସିଲେ ।

 

ମି. ମହାନ୍ତିଙ୍କ ଡାକ କାନରେ ବାଜିବାବେଳକୁ ପଦ୍ମଜା ପ୍ରକୃତିସ୍ଥା ହୋଇସାରିଥିଲେ । ଗଭୀରକ୍ଳାନ୍ତ ହୋଇ ପଦ୍ମଜା ସିଡ଼ିଉପରକୁ ଉଠିଆସୁଥିଲ । ମି. ମହାନ୍ତି ପାଗଳପରି ତାଙ୍କଦେହରେ ଘଷିହୋଇ ଚାଲିଗଲେ । ପାହାଚଗୁଡ଼ାକ ଡେଇଁ ଡେଇଁ ତଳକୁ ଚାଲିଯାଇ ଅଦୃଶ୍ୟ ସେ ହୋଇଗଲେ ।

 

ସେ ପଦ୍ମଜାଙ୍କୁ କିଛି କହିପାରିନାହାନ୍ତି । ପଦ୍ମଜା ଏକ ସେକେଣ୍ଡ ମଧ୍ୟ ସମୟ ପାଇଲେ ନାହିଁ ପଚାରିବାକୁ ।

 

ତାଙ୍କୁ ସମସ୍ତ ବିଷୟ ପ୍ରହେଳିକାମୟ ବୋଧ ହେଲା ।

 

ସେ ସ୍ଵାମୀଙ୍କ ପଛେ ଯିବେ, ନା ଉପରକୁ ଉଠିବେ–ଗଭୀର ଦ୍ଵନ୍ଦ୍ଵରେ ପଡ଼ିଗଲେ ।

 

ନା, ଉପରେ କ’ଣ କିଛି ଘଟିଛି । ସେ ଭାବିଲେ । ଗୋଡ଼ ଉପରକୁ ଉପରକୁ ଉଠିଲା ।

 

ପଦ୍ମଜା ଗଲାବେଳକୁ ଲଛି ଉଠିସାରିଥିଲା । ପଦ୍ମଜା ତାକୁ ଜାବୁଡ଼ି ଧରି କହିଲେ,–’’ଲଛି, କ’ଣ ହେଲା ?’’

 

ଲଛି କେବଳ ‘‘ବାପା’’ କହି କାନ୍ଦିବାକୁ ଲାଗିଲା ।

 

ପଦ୍ମଜା ଘୋର ଆଶଙ୍କାରେ ଆହୁରି ଅବସନ୍ନ ହୋଇପଡ଼ିଲେ । ସେ କାଳବିଳମ୍ବ ନକରି ଉପରକୁ ଉଠିଗଲେ ।

 

ତାଙ୍କୁ ଜଣାପଡ଼ିଲା, ତାଙ୍କ ପାଦଗୁଡ଼ାକ ପାହାଚରେ ଲାଖିଯାଉଛି ଓ ପଛରୁ ତାଙ୍କୁ କିଏ ଅଟକାଇ ଦେଉଛି ।

 

ପଦ୍ମଜା ପିତାଙ୍କ ଅବସ୍ଥା ଦେଖି ବିକଳରେ ତାଙ୍କ ଛାତିଉପରେ ଲୋଟିଗଲେ । ବୃଦ୍ଧ ଧୀରେ ତାଙ୍କରି ମୁଣ୍ଡ ଆଉଁସି ଦେଲେ ।

 

ଲୁହ ଧାରଧାର ବହିଯାଉଥିଲା । ସେ କିଛି କହିପାରିଲେ ନାହିଁ । ପଦ୍ମଜାଙ୍କ ଛାତିରୁ କୋହ ଉଠିବାକୁ ଲାଗିଲା । ସେ ପାଗଳିନୀ ପରି କାନ୍ଦିବାକୁ ଲାଗିଲେ ।

 

ମି.ମହାନ୍ତି ଝଡ଼ପରି ଘରଭିତରରୁ ପଶିଆସିଲେ । ଦୁଇଆଖିରୁ ଧାରଧାର ଲୁହ ବହିଯାଉଛି । ସେ ଉଷାର କୋମଳ ଶରୀରକୁ ଛାତିଉପରେ କଡ଼ାଇଧରି ଦ୍ଵାର ନିକଟରେ ଠିଆରହି କେବଳ କହିଲେ–’’ ମା’ ମୋର ଚାଲିଗଲା ।’’

 

ପଦ୍ମଜାଙ୍କ ମାତୃତ୍ଵ ଛୁଟିଆସିଲା, ସ୍ଵାମୀଙ୍କ ହାତରୁ ଉଷାକୁ ଛଡ଼ାଇନେଇ କହିଲେ ‘‘ମୋ’ ମା’ର କ’ଣ ହେଲା ? ମୋ ମା’–ମୋ ମା’–’’

 

ସେ ଉଷା ମୁହଁରେ ଅଜସ୍ର ଚୁମ୍ବନ ଢାଳିଦେଲେ । ଉଷା କିଛି ପ୍ରତ୍ୟୁତ୍ତର ଦେଲା ନାହିଁ । ସେ ଯେ ମୃତ–ଶବ ।

 

ପଦ୍ମଜାଙ୍କ ହାତକୁ ବଢ଼ାଇ ଦେଇ ମି. ମହାନ୍ତି ତଳେ ବସିପଡ଼ିଲେ, ନିର୍ବାକ ନିସ୍ପନ୍ଦ ହୋଇ-। ପଦ୍ମଜା କୁରରୀ ପରି ବିଳାପ କରିଉଠିଲେ ।

 

ବତ୍ସହରା ମାତୃତ୍ଵକୁ ପ୍ରବୋଧ ଦେବା କିଏ ? କେହି ନୁହେଁ । ସେ ସ୍ଵର୍ଗୀୟ–ଉତ୍ସ ଅଶ୍ରୁପ୍ରବାହରେ ସୁଦ୍ଧା ନିଃଶେଷ ହୁଏନା ହୋଇପାରେନା ।

 

ବୃଦ୍ଧ ଶଯ୍ୟାଉପରେ ବ୍ୟତିବ୍ୟସ୍ତ ହୋଇ ଚଞ୍ଚଳ ହୋଇଉଠିଲେ ମାନସିକ ଯନ୍ତ୍ରଣାରେ ।

 

ସମଗ୍ର ଜଜ୍ କୋଠିକୁ ଯେପରି କାହାର ଅଭିସମ୍ପାତ ହୃଦୟବିଦାରକ କାରୁଣ୍ୟରେ ପ୍ଲାବନ କରିଦେଲା ।

 

ବିଶ୍ଵଜୟୀ ମୃତ୍ୟୁର ଶୀତଳ କରସ୍ପର୍ଶରେ ସେହି ବିଶାଳ ଭବନ ନୀରବ ଓ ମ୍ରିୟମାଣ ହୋଇଗଲା ।

 

ଦୁଇଦିନ ପରେ ବୃଦ୍ଧ ଯାହା କହିଲେ ସେଥିରୁ ଜଣାଗଲା...

 

ପଦ୍ମଜା କଟକ ଯିବାପରେ ଉଷା ଉଠି ତା’ ହାତବାକ୍ସ ଖୋଲଥିବା ଦେଖିଲା ଓ ପଦକଟି ଖୋଜି ପାଇଲା ନାହିଁ । ସେ ଯାଇ ‘‘ଜେଜେ’’ଙ୍କୁ ପଚାରିଲା, ମାୋ ତାକୁ କିଛି ଦେଇଛି କି ? ତା’ର ଗୋଟିଏ ମୂଲ୍ୟବାନ୍ ଜିନିଷ ହଜିଯାଇଛି । ‘ଜେଜେ’ ନାହିଁ କରିବାରୁ ସେ ପାଗଳିନୀ ପାଲଟିଯାଇଥିଲା ।

 

ମା’ କଟକ ଯିବା କଥା ସେ ଭୁବନେଶ୍ୱରରୁ ଜାଣିସାରିଥିଲା, ବୋଧହୁଏ । ତେଣୁ ସେ ଅନୁମାନ କରିପାରିଲା ଯେ ମା’ ସେଇଟା ଧରି ସ୍କୁଲକୁ ଯାଇଛନ୍ତି, ସବୁ ଜାଣି ଆସିବେ । ସେ ଆଉ ମା’ଙ୍କୁ ମୁହଁ ଦେଖାଇପାରିବ ନାହିଁ । ତାଙ୍କୁ କହିଥିବା ମିଛ ସବୁ ଧରାପଡ଼ିଯିବ ।

 

ମା’ର ଗୁଇନ୍ଦା କାମରେ ସେ ଅତିଶୟ ଭୀତତ୍ରସ୍ତ ହୋଇଗଲା । ସେ ଠିକ୍ କରିନେଲା କ’ଣ କରିବାକୁ ହେବ । ଲିଛି ସନ୍ଧ୍ୟାରେ ଖାଇଯାଇଥିବା ସମୟରେ ମା’ଙ୍କର ପୁରୂଣାପେଡ଼ିରୁ ପୁରୁଣା ଲୁଗାଗୁଡ଼ିଏ ନେଇ ‘‘ଜେଜେ’’ଙ୍କୁ ଖୁବ୍ ଜୋରରେ ବାନ୍ଧିଦେଲା । ଓ ତାଙ୍କ ପ୍ରାଣ ଉପରେ ଚେଷ୍ଟା ମଧ୍ୟ କରିଥିଲା । କାହିଁକି ?

 

ତା’ପରେ ବେକରେ ଦଉଡ଼ିଲଗାଇ ଗୋଡ଼ହାତ ଛନ୍ଦି ସେ ତଳକୁ ଖସିଗଲା । ମି. ମହାନ୍ତି ଦେଖିବାର ପ୍ରାୟ ପନ୍ଦର ମିନିଟ୍ ପୂର୍ବରୁ ଏସବୁ ଘଟିଯାଇଥିଲା ।

 

ମି. ମହାନ୍ତି ଛୁଟିନେଇ ଦୁଇମାସ ରହିଯାଇଛନ୍ତି । ବୃଦ୍ଧ ମଧ୍ୟ ଏ ମଧ୍ୟରେ ଚାଲିଗଲେଣି । କାର୍ତ୍ତିକ ଶୁକ୍ଳ ଏକାଦଶୀ । ଶୟନ କକ୍ଷରେ ମି: ମହାନ୍ତି ପଦ୍ମଜାଙ୍କ ସହ ଖଟଉପରେ ବସିଛନ୍ତି । ପଦ୍ମଜାଙ୍କ ଡ଼ାହାଣହାତଟି ନିଜ କୋଳଉପରେ ରଖି ମି. ମହାନ୍ତି ଧୀରେଧୀରେ ଆଉଁସିବାକୁ ଲାଗିଲେ । ପଦ୍ମଜା ଗଭୀରଦୁଃଖରେ ପୂରାପୂରି ଭାଙ୍ଗିପଡ଼ିଛନ୍ତି । ମି: ମହାନ୍ତି ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ତାଙ୍କୁ ପ୍ରବୋଧ ଦେବାକୁ । କିନ୍ତୁ ଚେଷ୍ଟା ବିଫଳ ହୋଇଯାଉଛି ।

 

ନିଜ ଅନ୍ତର ମଧ୍ୟରେ ସେ ଗୋଟିଏ କଥା ଲୁଚାଇରଖିଥିଲେ ଆଜିଯାଏ । ତାଙ୍କ ଅନ୍ତର ବ୍ୟତୀତ ଅନ୍ୟ କେହି ତାହା ଜାଣିନଥିଲା । ଆଜି ସେ ଦୃଢ଼ ପ୍ରତିଜ୍ଞା, ପଦ୍ମଜାଙ୍କୁ ସେସବୁ ଖୋଲି କହିଦେବେ ।

 

ମି: ମହାନ୍ତି ଆରମ୍ଭ କଲେ–ପଦ୍ମ ! ମୋତେ ଭୁଲ୍ ବୁଝିବ ନାହିଁ । ମୁଁ ଆଜିଯାଏଁ କେବଳ ଗୋଟିଏ କଥା କାହାକୁ କହିନାହିଁ । ଏପରି ତୁମକୁ ମଧ୍ୟ ।

 

ମୁଁ ଗୋଟାଏ ଖୁଣୀ !

 

ପିଲାଦିନୁଁ ବାପା ମୋତେ ଦୁର୍ଦ୍ଧର୍ଷକରି ଗଢ଼ିଥିଲେ । ସେ ଥିଲେ ଭାରି କଡ଼ା ମିଜାଜ୍‍ର ଲୋକ । ତାଙ୍କର ବନ୍ଧୁକ ନେଇ ମୋତେ ସେ ଗୁଳିଚାଳନା ଶିଖାଇଥିଲେ ।

 

ଯେଉଁଦିନ ଆକାଶରେ ଉଡ଼ିଯାଉଥିବା ବଗଦଳର ସବାଶେଷଟିକୁ ଲକ୍ଷ୍ୟକରି ମୁଁ ତଳକୁ ଖସାଇଦେଲି; ସେହିଦିନ ସେ ମୋ’ ପିଠିରେ ହାତମାରି କହିଥିଲେ ‘ସାବାସ୍’ ।

ଗୁଳି କରିବା ନିଶା ମେତେ ଘାରିଦେଉଥିଲା ସେହି ସମୟରେ । ଅନ୍ୟାୟ ଓ ଅକାରଣରେ ପ୍ରାୟ ପ୍ରତିଦିନ କୌଣସି ପକ୍ଷୀ ବା ପଶୁକୁ ଗୁଳିକରି ମୁଁ ଆନନ୍ଦରେ ମାତିଉଠୁଥିଲି ।

ଦିନେ ସନ୍ଧ୍ୟାବେଳେ ଗୋଟିଏ ବଡ଼ହ୍ରଦ ନିକଟରେ କଳାହଂସକୁ ଗୁଳିକରୁକରୁ ଗୋଟିଏ ବୁଢ଼ାକେଉଟ ଦେହରେ ଗୁଳି ବସାଇଦେଲି । ସେ ଆର୍ତ୍ତନାଦ କରି ସେଠାରେ ଟଳିପଡ଼ିଥିଲା ।

ମୁଁ ତାକୁ ସାହାଯ୍ୟ କରିବା ପରିବର୍ତ୍ତେ ଅନ୍ଧାରରେ ଏକ ମାଇଲ ଦୌଡ଼ିଯାଇ ଗୋଟିଏ ଭଙ୍ଗା ଦେଉଳରେ ବହୁ ସମୟ ଯାଏ ରହି, ଘରକୁ ଚାଲିଆସିଲି । ସେ ମଲା କି ଗଲା–ଖବର ରଖିନାହିଁ । ସେହିଦିନଠାରୁ ଗୁଳିକରିବା ନିଶା ମୋର କମିଗଲା ।

କିନ୍ତୁ ଚାକିରି କରିବାର ପ୍ରଥମ ମାସର, ଘରୁ ଚୋରି କରିଥିବା ଅପରାଧରେ ଗୋଟିଏ ଲୋକକୁ ନିର୍ମମଭାବେ ପ୍ରହାର କରିଥିଲି । ଶୁଣିଲେ; ତା’ ଫଳରେ ବିଚରା ଏକମାସ ଶଯ୍ୟାଶାୟୀ ହୋଇ ମରିଗଲା । ମୁଁ ଗେଜେଟେଡ଼୍‍ ଅଫିସର୍ ଥିବାରୁ ତା’ ମଧ୍ୟ ଛପିଗଲା । ମୁଁ ନିଷ୍କଳଙ୍କ ରହିଲି ।

ତା’ପରେ, ଏକବର୍ଷ ପରେ ମୁଁ ଚଳାଉଥିବା ଜିପ୍‍ଗାଡ଼ିତଳେ ଗୋଟିଏ ଗରିବ ବୁଢ଼ୀଭିକାରୁଣୀ ଚିରଦିନ ଲାଗି ଆଖିବୁଜିଲା । ମୁଁ ହୋଇସାରିଥାଏ ଏ.ଡ଼ି.ଏମ୍ । ସ୍ୱାଧୀନ ଭାରତର ଆଇନକାନୁନ୍‍ ଆଇ.ଏ.ଏସ୍. ବାଲାଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ । ତେଣୁ ସେଥିରେ ମଧ୍ୟ ମୋର କିଛିହୋଇନଥିଲା । ମୁଁ ପୂର୍ବପରି ନିଷ୍କଳଙ୍କ ରହିଲି ।

ତୁମବାପା ବୋଧହୁଏ ମୋ ଚରିତ୍ରର କିଛି ଆଭାସ ପାଇଥିଲେ । ତେଣୁ ମୋ ପରି ଗୋଟିଏ ନରହନ୍ତାକୁ ତୁମକୁ ଦେବାକୁ ସେ ପ୍ରଥମେ ଭାରି ଅମଙ୍ଗ ଥିଲେ । ତୁମେ ଜାଣିଥିବ ନିଶ୍ଚୟ-। କିନ୍ତୁ ମୋବାପାଙ୍କ ସହ ଗଭୀର ବାଲ୍ୟବନ୍ଧୁତା ଫଳରେ ସେ ରାଜିହେଲେ ।

ତେଣୁ ମୋର ସନ୍ତାନ ଯେ ତା’ର ପିତା’ ପରି ହତ୍ୟାପ୍ରିୟ ହୋଇଉଠିଲେ, ଏଥିରେ ଆଉ ଆଶ୍ଚର୍ଯ୍ୟ ହେବା କଥା କ’ଣ ! ଖରାପ ମଞ୍ଜିରୁ କିପରି ଫଳ ଆଶା କରାଯାଇପାରେ, ପଦ୍ମ ! ତୁମରି ପବିତ୍ର ଜୀବନକୁ ମୁଁ ହା-ହୁତାଶରେ ଭରିଦେଇଛି । କର୍ତ୍ତବ୍ୟର ମଝିରେ ମୋର ମନ ଚହଲି ଉଠେ ଏସବୁ ଘଟଣା ନେଇ ।

ମି. ମହାନ୍ତି ଦୀର୍ଘନିଶ୍ୱାସ ପକାଇ ପୁଣି ଆରମ୍ଭ କଲେ–ମୋତେ ଜଣାପଡ଼ୁଛି, ମୁଁ ଆଜି ଶାପମୁକ୍ତ । ପତ୍ନୀ ହିସାବରେ ତୁମେ ମୋତେ ସର୍ବସ୍ୱ ଦେଇଛ । ଭଗିନୀ ହିସାବରେ ସମାଦର କରିଛ । ମାତୃତ୍ଵର ଅମୃତ ଢ଼ାଳି ମୋତେ ପବିତ୍ର କର । ମୋର ଆତ୍ମା ଯେପରି ବିଶୁଦ୍ଧ ହୁଏ ।’’

ଏହା କହି ସେ ପତ୍ନୀଙ୍କ କୋଳରେ ନିଃସହାୟ ଭାବେ ଢ଼ଳିପଡ଼ିଲେ । ଶ୍ରୀମନ୍ଦିର ଉପରେ ମହାଦୀପ ଉଠିଲା ।

ପଦ୍ମଜା ନିର୍ନିମେଷ ନୟନରେ ସେହି ଶଙ୍ଖଚକ୍ର ଆଢ଼ୁଆଳକାରି ମହାଦୀପର ସୁଦୂର କ୍ଷୁଦ୍ର ଶିଖାଦିଗରେ ଅନାଇରହି ଭାବୁଥିଲେ, ସେହି ବିକଳ ପରିବାରରେ ଜନନୀଭାବେ ତାଙ୍କର ଆଉ କର୍ତ୍ତବ୍ୟ କ’ଣ ?

ତାଙ୍କର ସଜଳ ଚକ୍ଷୁ ଦୁଇଟି ମହାଦୀପର କ୍ଷୀଣ ପ୍ରତିବିମ୍ବରେ ଝଳିଉଠୁଥିଲା ।

Image